ପ୍ରୀତି ପୁଲକ
ପ୍ରୀତି ପୁଲକ
ପ୍ରେମ ଲେସି ହୁଏ
ଫଗୁଣର ରଙ୍ଗ ପରି
କାକର ସହ ଘାସ ଗାଲିଚାର
ଓଦଳିଆ ସମ୍ପର୍କ ପରି
କୁଆଁରୀ ଦେହରେ
ନଈ ତୁଠ ହଳଦୀ ପରି
ପ୍ରେମ କେବେ ପୁଣି ଧାଉଁଥାଏ
ବନ ହରିଣୀ ପରି
କେବେ ପୁଣି ଛାତି ତଳେ ବିଚଳିତ
ରେଳଗାଡ଼ିର ଶବ୍ଦ ପରି ଛୁକଛୁକ୍ ଛୁକଛୁକ !!
ସମ୍ଭାଳି ହୁଏନି
ଲଗାମ ଛଡ଼ା ଏ ମନ ଠିକ୍ ଘଡିକେ
ଘୋଡ଼ା ଛୁଟିଲା ପରି
ପ୍ରେମ ପୁଣି କେବେ
ନହୁଲି ଚାଲିରେ ଅଣ୍ଟାରୁ ଖସି ପଡୁଥିବା
ତନୁ ପାତେଳିର କଳସୀ ପରି
ଆନମନା ହୁଏ ତାଳୁରୁ ତଳିପା
ଶୀହରଣ ଖେଳେ ଗଗନେ ପବନେ !!
ପ୍ରେମ କେବେ ଅନ୍ଧର ଅଶ୍ରାବାଡି ସାଜେ
ପୁଣି କେବେ ଦାମ୍ପତ୍ୟର ଅହମିକା
ଖାଲ ଢ଼ିପ ରାସ୍ତାରେ ସାଥିଟିଏ ସାଜି
ରାସ୍ତା କଢ଼େଇ ନିଏ ଜୀବନର ଅନ୍ତିମ ପ୍ରହର ପର୍ଯ୍ୟନ୍ତ !!
ମନ ଝୁରେ ନିଃଶ୍ୱାସ ପରି ଆତ୍ମାକୁ ଛୁଏଁ ପ୍ରେମ
କେବେ ମହାନ ନାୟକ ସଜାଏ
ପୁଣି କେବେ ସଜାଏ ନିଃସ୍ୱ, ଭିକ୍ଷୁ
ହୃଦୟଟି ସନ୍ତର୍ପଣରେ
ଆଉ କାହା ପାଖେ ବନ୍ଧା ପଡି ସାରିଲା ପରେ !!
ପ୍ରେମ ପୁଣି କେବେ ଅଜଣା ସହରୀ ବାବୁ ପରି
ଅଭୁଲା ସ୍ମୃତି କେତେ ଭେଟି ଦେଇ
ଅପ୍ରତ୍ୟାଶିତ ଭାବେ ଅଶ୍ରୁସିକ୍ତ ନୟନରେ
ବିନା ଭାବ ବ୍ୟକ୍ତେ ବିଦାୟ ନେଇ ଚାଲିଯାଏ ପ୍ରେମ !!