STORYMIRROR

Shashanka sekhar Ray

Romance

3  

Shashanka sekhar Ray

Romance

ପ୍ରେମରେ

ପ୍ରେମରେ

1 min
27.2K


ଶୂନଶାନ୍ ରାତି ଅଧେ ଭାଙ୍ଗିଯାଏ

କାହିଁକି କେଜାଣି ମୋ ନିଦ

ବାହାରେ ଜହ୍ନ ଲାଗୁଥାଏ

ଭାରି ଅଳସେଇ ଠିକ୍ ତୁମ ପରି

ଲମ୍ବା ରାତି ଜମା ଛାଡି ଯାଏନି ମୋ ପାଖ

ଗଢୁଥାଏ ସଂପର୍କର ବୁଢୀଆଣି ଜାଲ

ମୋ ଦେହରେ ଗୁଡେଇ ଗୁଡେଇ ।

ଫଗୁଣର ଅବିର ବୋଳି

ସପନ ବୋଇତ ପ୍ରେମ ଦରିଆରେ ମେଲି

ଆଇନା ଆଗେ ସଜେଇ ହୁଏ ବାରମ୍ବାର

କବାଟ ଫାଙ୍କେ ନୂଆ ବୋହୂଟିଏ ସାଜି

ଆଖି ଅଣ୍ଡାଳି ବୁଲୁଥାଏ ଭିଡ ଭିତରେ

ଖାଲି ତୁମକୁ ଟିକେ ଦେଖିବାକୁ ।

ତୁମ ଆଖି ସହ ଆଖି ମିଶିଗଲେ

ଭୂଇଁରେ ମୁଁ ଗାର ଟାଣେ

ନଖକୁ ଦାନ୍ତେ କାମୁଡି

ଗୋଟା ପୁଣି ଝାଳରେ ଭିଜୁଥାଏ

ପାଟି କାହିଁ ମାରିଯାଏ ଖନୀ

ଚାହିଁପାରେନି ଭଲ ଭାବେ ତୁମକୁ

ଲାଜର କଳା ବାଦଲ କିଏ ଢାଙ୍କିଦିଏ

ସତେ ଅବା ମୋ ଚନ୍ଦ୍ରଉଦିଆ ମୁହଁକୁ ।

ତୁମେ ବାଦଲ ହୋଇ ଭାସି ବୁଲ

ମୋ ନୀଳ ଆକାଶରେ

କାଶତଣ୍ଡୀ ଫୁଲ ହୋଇ ଫୁଟୁଥାଅ ଶରତରେ

ମୋ ଜୀବନ ନଈର କୂଳେ କୂଳେ

ଆଖିରେ ଆସେନି ଲୁହ

ହସିପାରେନି ମୁଁ ଓଠରେ

ମନ କିନ୍ତୁ ଛନ୍ ଛନ୍ ଭିତରେ

କଖାରୁ ଗଛଟି ମାଡିଯାଇଥାଏ

ଯେମିତି ଆମ ପିଢାରେ ।

ନିଦ ଆଉ ଭୋକର ଦୋ ଛକି ରାସ୍ତାରେ

ସନ୍ତୁଳିତ ମୁଁ ହୁଏରେ

ନା ଆଗକୁ ଯାଇହୁଏ

ନା ପଛକୁ ଫେରି ହୁଏ ଭଲରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance