ସାତ ରଙ୍ଗୀ ଇନ୍ଦ୍ରଧନୁ
ସାତ ରଙ୍ଗୀ ଇନ୍ଦ୍ରଧନୁ
ବରଷା ଯାଇଛି ମୋ ପ୍ରିୟା ଗାଆଁ କୁ
ଆମ ଗାଆଁ ଦାଣ୍ଡ ଦେଇ
ମୋତେ ଭିଜାଇଛି ତାକୁ ବି ଖୋଜୁଛି
ସାଥେ ଭିଜାଇବା ପାଇଁ ।
ପହିଲି ଆଷାଢ ପହିଲି ବାରୀରେ
ଭିଜୁଥିଲୁ ଯେଉଁଦିନ
ହୃଦେ ତୋଳୁଥିଲା ପ୍ରୀତିଗୀତି ସ୍ୱର
ମୋ ଗାଆଁ କଦମ୍ବ ବନ ।
ଭସା ଭସା ମେଘ ନଭେ ଇନ୍ଦ୍ରଧନୁ
ବୁଣୁ ଥିଲା ସାତରଙ୍ଗ
ତାରଙ୍ଗେ ଭିଜିଲେ ସ୍ବପ୍ନ ସୁନ୍ଦରୀ ଗୋ
ନିଆରା ନିଆରା ଲାଗ ।
ଓଦା ଗାଢ଼ କୁଞ୍ଚ ତୁମ କୁନ୍ତଳ ରୁ
ଝରି ଗଲେ ବର୍ଷା ପାଣି
ମୋ ମନ ଅରଣ୍ୟେ ନୀଳନୟନା ଗୋ
ଦେଉଥିଲ ସ୍ବପ୍ନ ଵୁଣି ।
ହରିଣୀ କଟାକ୍ଷେ ରାଜହଂସ ଚାଲି
ଜବା କଢି ଓଠ ଧାରେ
ଝରି ଗଲେ ହସ ସାତ ସୁରଙ୍ଗିଣୀ
ମୋ ମନ ବଂଶୀରେ ତୋଳେ ।
ରଜନୀଗନ୍ଧା ର ସ୍ତବକେ କବରୀ
ଦିଶୁଥିଲ ଅନୁପମା
ଖିଆଲି ମନରେ ଫୁଲ ଫଗୁଣରେ
କରୁଥିଲ ଆନମନା।
ମନ୍ଦ ମନ୍ଦ ବହେ ଚୋରା ଚଇତାଳି
ତୁମ ତନୁମନ ଛୁଇଁ
ଅଙ୍ଗେ ଅଙ୍ଗେ ଭରେ ମଧୁର ପୁଲକ
ଉନ୍ମାଦେ ମୁଁ ଶିହରଇ