STORYMIRROR

Dr Baman Chandra Dixit

Tragedy Classics

3  

Dr Baman Chandra Dixit

Tragedy Classics

ଫର୍ଦ୍ଦେ ପାଉଁଶ

ଫର୍ଦ୍ଦେ ପାଉଁଶ

2 mins
134

ଖେଳେଇ ଖେଳେଇ ଦେଖୁଛି

ମୁଁ ଖେଳେଇ ଖେଳେଇ ଦେଖୁଛି।

ଜଳେଇ ସାରିବା ପରେ 

ଅଧାଜଳା ଖଣ୍ଡେ ସମୟକୁ

ହଲେଇ ହଲେଇ ଦେଖୁଛି।

ମୁଁ ଖେଳେଇ ଖେଳେଇ ଦେଖୁଛି।


ଆକାଶରୁ ତୋଳି ମେଞ୍ଚେ ତାରା ଫୁଲ

ତକିଆ ତଳେ ମୁଁ ରଖିଥିଲି,

ସାତ ସପନର ଆବାହନୀ ସୁରେ

ମନ ମୂର୍ଚ୍ଚନା ତୋଳି ଡାକିଥିଲି।

ବାହୁଡ଼ି ଗଲା ଦେଖି

ପାହାନ୍ତିଆ ତାରା ମୋ ଆଖି

ଜକେଇ ଜକେଇ ଆସୁଛି।

ମୁଁ ଖେଳେଇ ଖେଳେଇ ଦେଖୁଛି।


ଏବେ ବି ଚାହିଁଛି ମଲା ଆଖି ମେଲି

ସରିଲାଣି ଜାଣି ପାରୁନାହିଁ।

ଫୁଙ୍ଗଳା ଆକାଶୁ ଲଙ୍ଗଳା ଜହ୍ନ ଟା

ଲିଭୁ ଲିଭୁ ଲିଭି ସାରିନାହିଁ।

ତଥାପି ଧରିଛି ବୋଲି,

ପଣତ କାନିକୁ ପ୍ରିୟା

ଛଡେଇ ଛଡେଇ ହସୁଛି।

ମୁଁ ଖେଳେଇ ଖେଳେଇ ଦେଖୁଛି।


ଅନୁତାପ ତପ୍ତ ଆର୍ତ୍ତ ହୃଦୟକୁ

ଆଶ୍ୱାସନା ଟିକେ ଲୋଡ଼ା ବୋଲି

ପୁରୁଣା ଚିଠିର ଶେଷ ଦୁଇ ଧାଡ଼ି

ପଢିବାକୁ ଆଜି ଚାହୁଁଥିଲି।

ପାଉଁଶ ଉଡ଼ିଗଲା ପରେ

ପୀରତି ପିଞ୍ଜରା ତଳ

କଳିଜା କୋଳେଇ କାନ୍ଦୁଛି।

ମୁଁ ଖେଳେଇ ଖେଳେଇ ଦେଖୁଛି।


କୋହ ସବୁ ଆଜି ଆଳାପ କରନ୍ତି

ଥଣ୍ଡା ହୁଏ ଲୁହ ପିଉ ପିଉ

ମୁଠେ ହୃଦୟ ଯେ ଥିଲା ଛାତି ତଳେ

ଧକ ଧକ ହେଉନାହିଁ ଆଉ

ବାଉଳା ମନଟା ଖୋଜେ

ଅଫେରା ଅତୀତ ତାତି

ଯାହା ମୁଁ ହଜେଇ ଦେଇଛି।

ମୁଁ ଖେଳେଇ ଖେଳେଇ ଦେଖୁଛି।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy