ଫେରି ଯାଉଛି ମୁଁ ଶୂନ୍ଯ ହସ୍ତରେ
ଫେରି ଯାଉଛି ମୁଁ ଶୂନ୍ଯ ହସ୍ତରେ
ଅନ୍ତହୀନ ଦୁଃଖ ହୃଦୟ ବେଦନା
ବିଶ୍ବାସ ଭରସା ଯାଉଛି ତୁଟି
ଅନ୍ଯାୟ ଅସତ୍ଯ ମିଥ୍ଯା ବ୍ଯଭୀଚାରେ
ଭୂଲୁଣ୍ଠିତ ସତ୍ଯ ମର୍ଯ୍ଯାଦା ଶାନ୍ତି ।
ଦିଶେ କଦାକାର ଅସ୍ପଷ୍ଟ ବିକୃତ
ଭଙ୍ଗା ଦର୍ପଣରେ ରୂପ ବଦନ
ହସ୍ତପଦେ ବନ୍ଧା ଲୌହର ଜଞ୍ଜୀର
ଉଜୁଡି ଯାଉଛି ଯୌବନ ସ୍ବପ୍ନ ।
ପାରୁନି ପ୍ରକାଶି ଭାବକୁ କଲମ
କଳୁଷେ ଉତ୍କଟ କାଳିନ୍ଦୀ ତଟ
ଶୁଷ୍କ ସ୍ନେହ ପ୍ରେମ ମମତା ନିର୍ଝର
ତଟସ୍ଥ ଜୀବନ ଗ୍ରାସେ ସଙ୍କଟ ।
ବିଚରା ମଣିଷ ବଞ୍ଚୁଛି ସଂସାରେ
ଆପଣାର ଶବ କାନ୍ଧରେ ରଖି
ଯାଉଛି ନୀରବୀ କବିପ୍ରାଣ ମୋର
ମଣିଷପଣିଆ ମରିବା ଦେଖି ।
କେମିତି ବର୍ଣ୍ଣିବି ଜୀବନ ତୁମକୁ
ପାଉନାହିଁ ଶବ୍ଦ ଭାଷାକୋଷରେ
ଖୋଜି ପାଉନାହିଁ ନିଜେ ମୁଁ ନିଜକୁ
ଫେରି ଯାଉଅଛି ଶୂନ୍ଯ ହସ୍ତରେ ।