STORYMIRROR

Panchanan Jena

Tragedy

4  

Panchanan Jena

Tragedy

ସେହି ଖରାବେଳ

ସେହି ଖରାବେଳ

1 min
26


ଡାହାଣିଆ ଖରାବେଳ 

ସହର ତାତୁଛି ସିଝୁଛି ସିନା

ନିଆଁ ଢାଳୁଛି ଜଳୁଛି ସିନା

 ଙ୍କକ୍ରିଟ ଜଙ୍ଗଲ ସବୁ ଦରମରା ସିନା

 ବୁଡି ଦେବରେ ତରୁ-ତୃଣ ବଂଶ କୂଳ


ଗାଁର ସେହି ଖରାବେଳ

ପିଲାଦିନର ସକାଳୁଆ ସ୍କୁଲ ପରେ 

ଆସେ ଯେଉଁ ଟାଆଁଶିଆ ଖରାବେଳ

ଏ ମନ ଝୁରି ହୁଏ

ଏ ଆତ୍ମା ଖୋଜି ହୁଏ

ଶୀତତାପ ନିୟନ୍ତ୍ରୀତ ବନ୍ଦ ନିବୋଜ କୋଠରୀ

ଭିତରେ ଏକାକୀ ସଢୁଛି ସିଝୁଛି ସୁନ୍ଦରୀ

ଉଙ୍କିମାରେ ବୈଶାଖର ଝାଞ୍ଜି ଖରା 

ଅଥୟ ଅଧିର କରେ ସ୍ମୃତି ଅପାଶୋରା 


ଜେଜେମା' ର ଶିକାଝୁଲା ହାଣ୍ଡି ଆଚାର 

ଉଡା ଯାତ୍ରାରୁ କିଣା ତାଳପତ୍ର ବିଞ୍ଚଣା ବୟାର

ଗୁଣ୍ଡି ପିଆଜ ମୁଠାଏ

ଧାନୁଆ ଲଙ୍କା କଠାଏ

ଆଳୁ ଚକଟାରେ ପଖାଳ ବେଲା ଛୁ' ମନ୍ତର ।


ବଡ଼ ମାଇଁର ରୁଣୁଝୁଣୁ ଚୁଡ଼ି

ମଝିଆଁ ମାଇଁର ନାଲିଧଡିଆ ଶାଢୀ

ସାନ ମାଇଁର ଭୈରୁପ ମେଳା ପେଡି

ଢେଙ୍କିକୁଟା କେଁ କଟର

ଦ୍ଵି ପହରିଆ ଆଚାର ଶୁଖା ବେପାର

ପାଟିରେ ପୁରେଇବାକୁ

ଖଣ୍ଡେ ଦ୍ଵିଖଣ୍ଡ ତରତର

ପାଚିଲା ବୁଢୀର ବାଜ ନଜର

କେବେ ଜିତିଯାଏ

ପୁଣି କେବେ ଧରାପଡି

ଖାଏ ଗାଳି ମେଞ୍ଚା ମେଞ୍ଚା କଞ୍ଚା ଭାଷାର ।


ତବତ ଖାଇ ଶୋଇବା ଦଣ୍ଡେ

ବାପାଙ୍କ ତାଗିଦ୍‌ କଡ଼ାଗଣ୍ଡେ

ଆମ୍ବ ଗଛ ଡାକୁଥାଏ ଠାରୁ ଥାଏ

ମିଛି ମିଛିକା ଶୋଇବା ସମ୍ଭବ କି ଖଣ୍ଡେ

ନାକ ଡାକିବା ଆରମ୍ଭ

ନଇଁ ନଇଁ ଧଡ଼କା ଫାଙ୍କରେ ପ୍ରାରମ୍ଭ

ଆମ୍ବତୋଟାରେ ମେଳଣ

ଲୁଣ ଲଙ୍କା ପୁଡ଼ିଆ ମିଶାଣ

କଞ୍ଚା ଆମ୍ବ ଖଣ୍ଡେ ଖଣ୍ଡେ ଚର୍ବିତ ଚର୍ବଣ


ପୋଖରୀ ତୁଠରେ ଗାଧୁଆ ବେଳ

ବୁଡ଼ା ପହଁରା କାତି ପହଁରା

ଛାତି ପହଁରା ଠିଆ ପହଁରା କରୁ କରୁ

କେତେ ବୁଡ଼ ମାରି ଦିଏ ନ ଥାଏ ଭାଳ

ଡାଳରୁ ଡିଆଁ

ପାଣିରେ ଧୂଆଁ

ପାଣିକୁଆ ପରି ଏ ମୁଣ୍ଡରେ ବୁଡି

ଆର ମୁଣ୍ଡରେ ସଗର୍ବେ ଛାଡ଼ି

ଗୋଳିଆ ପାଣି ନ କଲେ

ଫତିଆ ପିଇସା ବହେ ନ ଶୋଧିଲେ

ପାଣିରୁ ଉଠିବାକୁ ମନ କହେନା

ଶୁଶୁଣ୍ଡି ଶାଗ ଖରଡ଼ା

ତାଟିଏ ଙ୍ଗେପି ଦେଇ 

ଉଦା ସର ସର ଲୁଗା ବଦଳୁ ବଦଳୁ

ମାଟି ଚୁଲିମୁଣ୍ଡ ପାଣିରେ ତିନ୍ତି ଯାଏ

ବୁଢୀ ଜଗିଥାଏ ପିଣ୍ଡାରେ

କୁହାଟ ପରେ କୁହାଟ ଗାଁ ଉଠାଏ ପକାଏ

ଆବେ ସୁରିଆ ଆବେ ପୁରିଆ

ଦେଖ ତୋ ବିଶିକେଶନ ବିଛୁଆତି

ବାଇଡଙ୍କ ପୂରାପୂରି ଚୁଇଁ ଗୁଜୁରାତି

ବାଉଁଶ ଠେଙ୍ଗା ଟା କର ବେଭାର

ଶଳାକୁ ଦେ ଦଶ କୋଡ଼ିଏ ପାହାର

ଦେ ନାଦି ଦେ ଉତ୍ତମ ମଧ୍ୟମ ପ୍ରହାର


ସହରେ ବି ଖରା

ଗାଁରେ ବି ଖରା

ଏଠି ତତଲା ଗଡ଼ରେ ବନ୍ଦୀ ଜୀବନ

ସେଠି ଖରାବେଳ ବି ଆଙ୍କି ପାରେ

ସୁନେଲି ରୁପେଲି ନନ୍ଦନକାନନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy