ସହରର ଖରାଦିନ
ସହରର ଖରାଦିନ
ବହୁତଳ ଉଚ୍ଚ ଅଟ୍ଟାଳିକା ପ୍ରଶସ୍ତ ସଡକ ପକ୍କା
ଜୀବନ ବ୍ଯସ୍ତବହୁଳ ସହରରେ ନାହିଁ ଫୁରୁସତ,
ଗୁଳୁଗୁଳି ଅସହ୍ଯ ଝାଞ୍ଜିରେ ଖରାଦିନ ସହରରେ
ଟପିଯାଏ ସବୁ ସୀମା କଲବଲ କରେ ବ୍ଯତିବ୍ଯସ୍ତ ।
ଶିଳ୍ପାଞ୍ଚଳ ସହରର ଉପକଣ୍ଠେ ଜମା କୁଢ କୁଢ
ଆବର୍ଜନା ଇତସ୍ତତଃ ଉଡୁଥିବା ପଲିଥିନ ଜରି,
ନଜର ପଡିଲେ ଲାଗେ ଫୁତ୍କାର ଛାଡୁଛି ଯେହ୍ନେ
ପୂତିଗନ୍ଧ ପ୍ରଦୂଷଣ ବିଷଧର ଅହିରାଜ ପରି ।
ଚାଲିବା ମରୁବାଲିରେ ନୁହଁଇ ସହଜସାଧ୍ୟ
ଦୁର୍ବିସହ ଖରାଦିନ ସହରରେ ଜୀବନଯାପନ,
ପାଦେ ପାଦେ ଭଙ୍ଗାକାଚ କ୍ଷତାକ୍ତ କରିବା ଭୟ
ବ୍ଯତୀକ୍ରମ ସାମାନ୍ଯରେ ତରଳଇ ମହମ ଜୀବନ ।
ଲାଗେ ବେଶୀ ଖରାଦିନ ନିଷ୍ଠୁର ହୃଦୟହୀନ
ସହରରେ ଜାଳିପୋଡି କରିଥାଏ ଡହଳବିକଳ,
ହଜିଯାଏ ଆଖି ନିଦ ବାଟବଣା ହୁଏ ସ୍ବପ୍ନ
ଯନ୍ତ୍ର ମାନବର ହୃଦ ଖୋଜେ ସ୍ନେହ ମମତା ଓ ଆଦର । ।
