ହିସାବ କିତାବ
ହିସାବ କିତାବ
ଏ ତ ବିଧିର ବିଧାନ
କେବେ ନହୋଇବ ଆନ ,
ଭାଗ୍ୟ ନିନ୍ଦିଲେ କି ହେବ
ସାହା ସେଇ ଭଗବାନ।
ଆଖି ଲୁହ ପୋଛୁଥିବ
ନିଜ କର୍ମ କରୁଥିବ,
ନହେଲେ ପଛେ ପଡ଼ିବ
ସମୟ ଆଗେଇ ଯିବ ।
ଖାଇଥିବ ଯେଉଁ ଚୋଟ
ବାଧିଥିବ ହୃଦ ତଟ ,
ସମୟ ବଦଳି ଯିବ
ସେ ଚିହ୍ନ ସେପରି ଥିବ ।
ନିଃଶବ୍ଦ ରାତି ଅଧରେ
ହୃଦ ଆପଣାଙ୍କୁ ଝୁରେ,
ନିହାରେ ଏ ଆଖି ଦୂରେ
ଦୂର ନବ ଦିଗନ୍ତରେ।
ବସି ଶେଷ ସୋପାନରେ
ହିସାବ କିତାବ କରେ ,
ଦେଖେ ପ୍ରତି ପାହାଚରେ
କିଏ ଅତି ଆପଣାରେ ..।
ସେଇ ଏକାନ୍ତର ବେଳେ
ଦେଖା ଯାଏ ଆଖି ତଳେ,
ଆପଣାର ମାଆ କୋଳେ
ବୁଡ଼ିଯାଏ ଭାବ ଜଳେ ।
ବୟସର ବସନ୍ତରେ
ପଲକ ପଡ଼ିବା ପରେ ,
ପ୍ରତି ହୃଦ ସ୍ପନ୍ଦନରେ
ମୃତ୍ୟୁ ଥାଏ ନିକଟରେ ।
ଚୋଟ ଖାଇ ଖାଇ ମନ
ଦିନେ ସରିଯାଏ ସ୍ବପ୍ନ ,
ଶରୀର ଖୋଜେ ବିଶ୍ରାମ
ବୁଜି ଆସେ ଏ ନୟନ ।