ଅବ୍ୟକ୍ତ ସ୍ଵର
ଅବ୍ୟକ୍ତ ସ୍ଵର
ଅଦେଖା ପୃଷ୍ଠାର ଅଲେଖା ଶଦ୍ଦ ମୁଁ
ଅଖୋଜା ସଦା ସର୍ବଦା,
ଅନାମିକା ବୋଲି ଅନୁଭବ ହୁଏ
ଅପୂର୍ଣ୍ଣ ଅଧ୍ୟାୟ ସଦା।
ଅଧୁରା ରହିଲା ଅନେକ ସପନ
ଅସ୍ତଗାମି ସୂର୍ଯ୍ୟ ପରି ,
ଅଣନିଶ୍ୱାସୀ ଏ ,ଅଳିକ ଜୀବନେ
ଅଭାବି ଭାବକୁ ଧରି।
ଅଭୁଲା ଅତୀତ ଅବ୍ୟକ୍ତ ସେ କ୍ଷତ
ଅସରନ୍ତି ଦୁଃଖ ଦିଏ,
ଅନୁଭବ ଆଉ ଅନୁଭୂତି କହେ
ଅଲୋଡ଼ା ଜୀବନ ଇଏ।
ଅନ୍ତରଙ୍ଗ କେହି ଅନ୍ତର ବେଦନା
ଅଜାଣତେ ଯଦି ଜାଣେ ,
ଅନେକ ଯନ୍ତ୍ରଣା ଅନୁଭବ ହୁଏ
ଅସମୟେ ଲୁହ ଆଣେ ।
ଅଳଙ୍କାର ଦେଇ ଅଳଙ୍କୃତ ଶଦ୍ଦେ
ଅପବାଦ ଅପମାନେ ,
ଅତି ଦୁଃଖ ଦେଇ ଅଣାୟତ ହୁଏ
ଅବ୍ୟକ୍ତ କୋହ ଜୀବନେ ।
ଅଲଣା ତିଅଣ ଅରୁଚି ଲଗାଇ
ଅଜଣା କାହାକୁ ଅବା,?
ଅଲୋଡ଼ା ମଣିଷ ଅନାଦର ସଦା
ଅବାଞ୍ଛିତ ସତେ କି,ବା' !?
ଅମଡ଼ା ପଥରେ ଅଭାବି ସମ୍ପର୍କ
ଅପସରି ଇଚ୍ଛା ନେଇ ,
ଅନୁକମ୍ପା ଏବେ ଅନୁମତି ଲୋଡ଼େ
ଅଦିନେ ଝଡ଼ିବା ପାଇଁ ।