ସଖା ଥରେ ଦିଅ ଦେଖା
ସଖା ଥରେ ଦିଅ ଦେଖା
ମୋର ବଡ଼ ଦେଉଳିଆ ସଖା ତୁମେ
ନୁହେଁ ମୁଁ ତୁମର ସଖି
ପତିତଜନଙ୍କୁ ଉଦ୍ଧାରିବା ପାଇଁ
ବସିଅଛ ଚକାଆଖି ।
ତୁମେ ମୋର କୃଷ୍ଣ ମୁଁ ତୁମର କୃଷ୍ଣା
ଗୋବିନ୍ଦ ନାମରେ ଭଜେ
ପ୍ରତି ମୁହୂର୍ତ୍ତରେ ତୁମ ସାନିଧ୍ୟ୍ୟ ମୁଁ
ଆକୁଳ ଅନ୍ତରେ ଖୋଜେ ।
ଭଲ ମନ୍ଦ ଦୁଃଖ ସୁଖ ସମର୍ପିଛି
ସଖା ତୁମ ଚରଣରେ
ତୁମକୁ ଜୀବନେ ସାହାରା ଭାବିଛି
ମୋର ଛୋଟ ହୃଦୟରେ ।
ବଡ଼ ଦେଉଳକୁ ଧାଇଁ ଯାଏ ମୁହିଁ
ସୁଖ ଦୁଃଖ କଥା କହିବାକୁ
ଥରେ ଦେଖିଦେଲେ ଇନ୍ଦ୍ର ନୀଳମଣି
ଭୁଲିଯାଏ ସଖା ମୁଁ ନିଜକୁ ।
ବାଇଶି ପାହାଚେ ବସିଗଲେ ଥରେ
ସବୁ ଦୁଃଖ ମୋର ସରିଯାଏ
ନୀଳଚକ୍ର ନେତ ପତିତପାବନ
ଦେଖିଦେଲେ ଧନ ତୋଷ ହୁଏ।
ରାଣ ଦେଉଅଛି ଶରଣ ଯାଉଛି
ଭୁଲିବନି ସଖା ଏ ଦୁଃଖୀକୁ
ମାଗୁନାହିଁ ଅଷ୍ଟ ଐଶ୍ୱର୍ଯ୍ୟ ବନ୍ଧୁ ହେ
ମାଗୁଅଛି ସଖା ସ୍ୱର୍ଗଦ୍ୱାରକୁ ।