କୋଟି ଦଣ୍ଡବତ
କୋଟି ଦଣ୍ଡବତ
ମହାପ୍ରଭୁ ହେ !! ସୁନ୍ଦର ତୁମ ସୃଷ୍ଟି
ଅପରୂପ ଦିବ୍ୟ ଶୋଭା .
ସବୁଠି ଭରିଛ ସ୍ୱର୍ଗୀୟ ସୁଷମା
ଆହା କେଡେ ମନଲୋଭା ।।
ନୀଳ ଅମ୍ବରର ପରଦା ସେପାଖେ
ସୂର୍ଯ୍ୟ ଚନ୍ଦ୍ର ଆତଯାତ .
ଝିଲ୍ଲୀମିଲି ତାରା ଚମକନ୍ତି ପରା
ଚମତ୍କାର ଏ ଜଗତ ।।
ଭସାବାଦଲର ବଉଦ ଆଡେଇ
ମେଘକନ୍ୟା ଦିଏ ହସି .
ରୁପସୀ ଧରଣୀ ସବୁଜ ଓଢଣୀ
ଆଣଇ ତାକୁ ଆକର୍ଷି ।।
ବରଷା ନାଚଇ ରିମ୍ ଝିମ୍ ତାଳେ
ଭରିଛ ସଲିଳ କଣା .
ଟାଙ୍ଗର ଭୂମିକୁ ଉର୍ବର କରିବା
କଉଶଳ ପ୍ରଭୁ ଜଣା ।।
କୋଇଲିର କଣ୍ଠେ ଭରିଛ ମୂର୍ଚ୍ଛନା
ଦେଇଛ ମଧୁର ସ୍ୱର .
ଫୁଲ ପାଖୁଡ଼ାରେ ଭରିଛ ସୁରଭି
ଦୁଃଖ ହୋଇଯାଏ ଦୂର ।।
ତୁମେ ଦୟାକଲେ ମୂକ ଯେ ବାଚାଳ
ପଙ୍ଗୁ ଲଙ୍ଘିପାରେ ଗିରୀ .
ତୁମରି କରୁଣା ରେଣୁ ମିଳିଗଲେ
ଶ୍ରୀୟା ଫେରିପାଏ ଶିରୀ ।।
ତୁମେ ସର୍ବବ୍ୟାପ୍ତ ଅବ୍ୟକ୍ତ ଅଚ୍ୟୁତ
ଚଉଦ ବ୍ରହ୍ମାଣ୍ଡ ତଳେ
ନରସିଂହ ରୂପେ ରହିଛ ଖମ୍ବରେ
ମତ୍ସ ରୂପେ ପୁଣି ଜଳେ ।।
ତୁମେ ସତ୍ୟ ତୁମେ ଶିବ ସୁନ୍ଦର
ଭକତ ବତ୍ସଳ ହରି
ତୁମରି ତୁଳନା ନାହିଁ ଏ ଜଗତେ
ତୁମେ ଏକା ତୁମ ପରି ।।
ତୁମରି ଦାନ ଏ ଜୀବନ ମରଣ
ଆହେ ଜଗତର ନାଥ
ତାରିଲେ ତାରିବ ମାରିଲେ ମାରିବ
ପାଦେ କୋଟି ଦଣ୍ଡବତ ।।