ଆଷାଢ଼ ଲୀଳା
ଆଷାଢ଼ ଲୀଳା
ଗ୍ରୀଷ୍ମ ତପ୍ତ ଧରା ଅନେଇ ରହିଛି
ନଭୁ ଲାସ୍ୟମୟୀ ଧାରା ।
କାଦମ୍ବିନୀ ତେଜେ ଉଲ୍ଲସିତ ହୁଏ
ସବୁଜ ବନାନୀ ଧରା ।
ଆଦ୍ୟ ଆଷାଢ଼ର ପହିଲି ବରଷା
ପ୍ରକୃତି ସାଜିଛି ଗଭା ।
ବଡ଼ ଦାଣ୍ଡେ ଘୋଷଯାତ୍ରାରେ ଅଛନ୍ତି
ରଥରେ ନୀଳ ଚନ୍ଦ୍ରମା ।
ନବ ପଲ୍ଲଵରେ ମେଘ ମହ୍ଲାର
ଘଡଘଡି ଶବଦରେ ।
ରାଗିଣୀ ଗାଉଛି ଅଦୃଶରେ କେହି
ରହି ନୀଳ ଗଗନରେ।
ଶ୍ୟାମଳ ମେଖଳା କଟିଦେଶେ ଶୋହେ
ଝୀନ ପିତାମ୍ବରୀ ପାଟ ।
ଭିଜେଇ ଦେବାକୁ ନନ୍ଦିଘୋଷେ ପ୍ରଭୁ
ମେଘକନ୍ୟା ଖୋଜେ ବାଟ।
ମଲ୍ଲୀ ଓ ମାଳତୀ ଚମ୍ପା କଦମ୍ବରେ
ପ୍ରକୃତି ବାନ୍ଧିଛି ଜୁଡ଼ା ।
ଭକତ ଗହଣେ କାଳିଆ ହାତୀକୁ
ରଥକୁ ହେଉଛି ଭିଡା ।
ସାଜିଛି ପ୍ରକୃତି ନବଯୌବନରେ
ପ୍ରକୃତି ପୁରୁଷ ଲୀଳା ।
ଯୁଗ ଯୁଗ ଧରି ଚାଲିଛି ସଂସାରେ
ଅପୂର୍ବ ଆଷାଢ଼ ମେଳା ।
ରଥରେ ବସାଇ ଜଗତନାଥଙ୍କୁ
ରଥକୁ ଭିଡୁଛି ରଥ ।
ଆତ୍ମା ରଥ ଭିଡ଼େ ପରମାତ୍ମା ରଥ
ବଡ଼ ବିଚିତ୍ର ଏ ଜଗତ ।
ନୀଳାଦ୍ରୀ ଶିଖରେ ରତ୍ନସିଂହାସନେ
ଭୁଲି ରାସଲୀଳା ସୁଖ ।
ମାଧୁର୍ଯ୍ୟ ଲୀଳାରେ ହୋଇ ଆତ୍ମହରା
ସୁନ୍ଦରା ଚଳେ ଶ୍ରୀମୁଖ ।
ଜୀବ ପରମର ଅପ୍ରାକୃତିକ ଲୀଳା
ଆତ୍ମା ପରମାତ୍ମା ସଙ୍ଗେ ।
ସପ୍ତବର୍ଣ୍ଣ ରଙ୍ଗେ ଫୁଟି ଦିଶୁଛିକି
ନଭ ଚାତୁମ୍ଭରା ମେଘେ ।
ପବିତ୍ର ଆଷାଢ଼ ପ୍ରେମେ ହୋଇ ଭୋଳ
ଜାତି ବର୍ଣ୍ଣ ନିର୍ବିଶେଷେ ।
ପରମାତ୍ମା ରଥ ଟାଣି ନେଉଥାନ୍ତି
କାଳିଆ ଠାକୁର ହସେ ।