ଅଧର ମଧୁର
ଅଧର ମଧୁର
ମଧୁଝରା ତୁମ ରଙ୍ଗ ଅଧର
ରହସ୍ୟର ପାରାବାର .
ଝରିଗଲେ ହସ ଥରି ଉଠିଥାଏ
ନିଭୃତ ଅନ୍ତର ମୋର ।
ତୁମ ଶ୍ରୀମୁଖରେ ଛନ୍ଦ ଚପଳ
ନୀଳ ଦରିଆର ଢେଉ .
ଜୀବନ ସାରାର କଳୁଷ କାଳିମା
ଧୋଇନିଏ ଚାହୁଁ ଚାହୁଁ ।
ତୁମରି ବଦନ ଦେଖିଦେଲେ ଥରେ
ମର୍ମରି ଉଠେ ପ୍ରାଣ
ନିମିଷ ମାତ୍ରକେ ସବୁ ଦୁଃଖ କଷ୍ଟ
କରିଦିଅ ପରିତ୍ରାଣ ।
ଭ୍ରୂଲତା ତୁମର କୁଞ୍ଚିତ ହୋଇଲେ
ଘୋଟି ଆସେ ଅନ୍ଧକାର.
ବିଶ୍ଵବ୍ରହ୍ମାଣ୍ଡ ଦୋହଲି ଉଠଇ
ଭୁକମ୍ପ ଅବନୀ ପର ।
ପଦ୍ମ ପଳାଶ ନୟନେ ତୁମର
କୋଟିଏ ଭୂବନ ହସେ .
ସବୁ କଳା ଆସି ଅଳସ ଉଲ୍ଲାସେ
ଷୋହଳ କଳାରେ ମିଶେ ।
ତୁମରି ଆଖିରେ ଆଖି ମିଶାଇଲେ
ଅସ୍ମିତା ଯାଏ ହଜି .
କେଳି କଦମ୍ବର ନିଘଞ୍ଚ କାନନେ
ବାଂଶୁରୀ ଉଠଇ ବାଜି ।
ତୁମରି ଇଙ୍ଗିତେ ଆତଯାତ ହୁଏ
ଜୀବନର ଗତିପଥ .
ସାରା ସଂସାରରେ ହୁରି ପଡୁଥାଏ
ତୁମ ନାମ ଜଗନ୍ନାଥ ।
ତୁମ ଲୀଳାଖେଳା ଭାବ ଅଭାବର
ଭକତର ଭାବଗ୍ରାହୀ
କରୁଥାଅ ଖେଳ ହେ ମହାନାୟକ
ନାହିଁ ଆଉ ଏଠି କେହି ।
ମଧୁର ଅଧର ସ୍ମିତ ପାଖୁଡ଼ାରେ
ଅପଲକ ହୁଏ ନେତ୍ର
ସଂତୃପ୍ତି ପୂର୍ଣ୍ଣତା ଭରିଯାଏ ପ୍ରଭୁ
ଶୂନ୍ୟ ଚେତନା ପାତ୍ର ।