ବିଦାୟ ଦିଅ ହେ ପ୍ରଭୁ
ବିଦାୟ ଦିଅ ହେ ପ୍ରଭୁ
ବିଦାୟ ମାଗୁଛି ପ୍ରଭୁ ତୁମକୁ ସ୍ୱୟଂମ୍ଭୁ
ହୃଦ ମୋର ଅବସନ୍ନା .
ଅଚଞ୍ଚଳ ଭାବଗ୍ରାହୀ ତୁମେ ଗାଢ଼ ନିଦ୍ରା
ହେବ ନାହିଁ ଆନମନା ।
ଅଗ୍ନି ଶିଖା ଲେଲିହାନ ଭେଦ କରି ନାହିଁ
ତୁମ ଅଣିମା ଲଙ୍ଘିମା .
ଘେନି ନିଅ ପ୍ରଭୁତୁମ ଶରଣ ପଞ୍ଜରେ
ରକ୍ଷାକର ହେ ମଣିମା ।
ଲୋଡ଼ାନାହିଁ ପ୍ରଭୁ ମୋର ଛତ୍ର କି ଚାମର
ଆଉ ପଟବ ପାଟ୍ଟବ .
ଲିଭି ଆସିଲାଣି ଦିକ୍ ଦିକ୍ ଜ୍ୟୋତି ଶିଖା
ଉଦ୍ଧାରିବ ହେ ମାଧବ ।
ଅନ୍ତରରୁ ଅନ୍ତରୀକ୍ଷ ଅଣୁରୁ ଅନନ୍ତ
ଅରୂପ ତୁମର ବ୍ୟାପ୍ତ .
ସମ୍ୱନ୍ୱିତ ସମଭାବ ଧର୍ମର ପ୍ରତୀକ
ନାମ ତୁମ ଜଗନ୍ନାଥ ।
ବିଶ୍ୱରୂପ ବିଶ୍ୱପିତା ସର୍ବ ଶକ୍ତିମାନ
ହାତ ମୋର ଧରିଥାଅ .
ଭବ ସାଗରରୁ ପାରିକରି ଅଗମ୍ୟ
ଅଚିନ୍ତ୍ୟ ଆହେ ଦୟାମୟ ।
ଜୀବନର ମହାଯାତ୍ରା ମହାଯଜ୍ଞ ମୋର
ପ୍ରଭୁ ହେବ ହେ ପୁରୋଧା .
ମାୟା ମୋହ ଶିକୁଳି ବନ୍ଧନ କରିଛିନ୍ନ
ଆତ୍ମା ନ ପାଉ ମୋ ବାଧା ।
ମନର ବ୍ୟଥାକୁ ତୁମେ ବୁଝ ମହାବାହୁ
କରୁଣା କଣିକାଏ ଥାଉ.
ଅନ୍ତିମ ବାହୁଡା଼ କାଳେ ସେ ରୂପ ମୋହନ
ନୟନେ ମୋ ନାଚୁଥାଉ.।
ଏତିକି ମିନତୀ କରେ ତୁମରି ପାଦରେ
ଦେବ ଦୁଇ ଭୂଜ ବଢ଼ାଇ
ବିଶାଳ ବିପୁଳ ଅମୃତମୟ ବକ୍ଷରେ
ନେବ ଥରେ ଜଡେଇ ।।