ଭକତ ଭୋଳିଆ
ଭକତ ଭୋଳିଆ
ଭକତ ଭୋଳିଆ ନୀଳାଚଳିଆ ସେ
ଆଦିସୂର୍ଯ୍ୟ ପ୍ରଭା ନେତ୍ର
ବ୍ରହ୍ମରସାୟନ ହିରଣ୍ମୟ ସେତୁ
ମହାବୀର୍ଯ୍ୟ ତତ୍ତ୍ୱଗାତ୍ର ।
ଗହନ ଗଭୀର ଯୁଗଚକ୍ର ତାର
କୁଣ୍ଡଳିନୀ ମୂଳାଧାର
ସମାବୃତ କରି ରଖିଛି ରହସ୍ୟ
ମନ୍ତ୍ରମୟ ପରାତ୍ପର ।
ଅପ୍ରକଟ ଶକ୍ତି ସକଳବସ୍ତୁରେ
ଅପବୃତ ଆବରଣ
ବିଚିତ୍ର ଦେବତା ପରିସୁପ୍ତ ଆତ୍ମା
ବିମୁଗ୍ଧ ଇନ୍ଦ୍ରିୟ ଗଣ ।
ଦିବ୍ୟମୂର୍ତ୍ତି ବ୍ରହ୍ମ ଦାରୁ ପୂର୍ଣ୍ଣବ୍ରହ୍ମ
ଦୃଢ ସତ୍ୟ ଆପ୍ତକାମ
ମାଧୁର୍ଯ୍ୟ ନିଳୟ ଶ୍ରୀମନ୍ଦିର ଦିଅଁ
ମୋହମୁଦ୍ରା ଶାନ୍ତି ଧାମ ।
ଜୀବନ ଯନ୍ତ୍ରଣା କରିଥାଏ ଊଣା
ପ୍ରଶାନ୍ତିର ଆଲିଙ୍ଗନେ
ଦିବ୍ୟ ବହ୍ନିଶିଖା ଅଗ୍ନିସାତ୍ ସତ୍ତା
ବୃତ୍ତାକାର ସୁନୟନେ ।
ନିର୍ବାକେ ଡାକଇ ନିଖିଳ ପ୍ରକୃତି
ପ୍ରମୁକ୍ତ କରିବା ଆଶେ
ଶ୍ରୀକ୍ଷେତ୍ର ମହିମା ଉର୍ଦ୍ଧମୁଖୀ ଧାମୁ
ବିଶ୍ୱମୟ ଉର୍ଜା ବିକାଶେ ।
ଭକ୍ତ ଭାବଗ୍ରାହୀ ଜଗତଜନର
ଭକ୍ତି ମହୋଦଧି ସିକ୍ତ
ଚିନ୍ମୟ ଫେନିଳ ଆବୃତ ହୃଦୟ
ଚିନ୍ତିଲେ ଜଗତନାଥ ।
ଆତ୍ମା ଅମ୍ବୁଧୀ ନିରାପଦେ ବାସ
ବିଶାଳ ବିପୁଳ ବକ୍ଷେ
ବ୍ରହ୍ମମହାଧାର କୋଟି ସୃଜନ
ନୀଳାଚଳ ଗିରୀ ଶିଖେ ।
ଅଜସ୍ର ଅସୀମ ଯୁଗାବ୍ଦ ସଂବେଗ
ବହି ଯାଏ ନୀର ପରି
ଭକତି ଡୋରରେ ବାନ୍ଧି ହୋଇ ପ୍ରଭୁ
ବଡ଼ଦାଣ୍ଡକୁ ଆସନ୍ତି ହରି ।
ଭକତ ଜୀବନ ଭକତ ତା ପ୍ରାଣ
ସୁନିବିଡ଼ ଆତ୍ମୀୟତା
ଧେନୁ ପଛେ ବତ୍ସା ଧାବିତ ପରାୟେ
ଭକ୍ତ ପାଇଁ ଆତୁରତା ।
ଭକତ ପାଇଁ କି ବନ୍ଧା ହୋଇଥିଲ
ଭକତ ପାଇଁକି ଜ୍ୱର
ଅଟକି ରହିଲ ନନ୍ଦିଘୋଷେ ପ୍ରଭୁ
ଭକ୍ତକୁ ନକରି ପର ।
ସୁବର୍ଣ୍ଣ ଥାଳିରେ ପରଷି ଦେଇଛ
ବନ୍ଧୁଙ୍କୁ ଦିବ୍ୟ ବ୍ୟଞ୍ଜନ
ହସ୍ତ ପ୍ରସାରିତ ନୀଳକନ୍ଦରରୁ
ଦାସିଆ ହୋଇଛି ଧନ୍ୟ ।
ମାଣିକ ହାତରୁ ଭକତି ଭାବରେ
ଦହି ଖାଇ ମୁଦି ଦେଲ
ଗୁଣ୍ଡିଚା ରାଣୀର ଭକତି ଡୋରରେ
ଆଡପରେ ବିଜେ ହେଲ ।
ଭକତ ଭୋଳିଆ ଜଗା କାଳିଆ ହେ
ପ୍ରଧାବିତ ଭକ୍ତି ଧାରେ
ନଶ୍ୱର ଅସ୍ଥାୟୀ ଜୀବନ ଚକ୍ରରୁ
ବିରତି ମୁଁ ଭିକ୍ଷାକରେ ।