STORYMIRROR

Jayashree Das

Tragedy

4  

Jayashree Das

Tragedy

ନୀଳମଣିଙ୍କୁ ଚିଠି

ନୀଳମଣିଙ୍କୁ ଚିଠି

1 min
363


ନୀଳାଞ୍ଜନ ! ନୀଳମଣି ଜଗତ ଠାକୁର

ଭୁଲିଗଲ ଏ ଦାସୀକୁ କରି ଦେଲ ପର।

କାହିଁକେତେ କାଳୁ ତୁମେ ପକାଇନ ମନେ

ଡାକିନାହଁ ମତେ ତୁମ ଶ୍ରୀମନ୍ଦିର ଦିନେ ।


ରତ୍ନ ସିଂହାସନ ତଳେ ହାତ ପାତିଦେଇ

ନୀଳରୂପ ମାଧୁରୀରେ ହଜିଯିବା ପାଇଁ।

ନୟନୁ ଝରାଇ ଦେଇ ଲୋତକର ମୁକ୍ତା

କହିଯାନ୍ତି ମନ ତଳ ଅବ୍ୟକ୍ତ ବାରତା।


ଦେଖିଥାନ୍ତି ଗୁମୁଟରେ ପତିତପାବନ

ଅରୁଣ ସ୍ତମ୍ବ ତଳେ ମା ଲକ୍ଷ୍ମୀ ଦର୍ଶନ।

ବାଇଶି ପାହାଚେ ଚଢି ବଢ଼ାଇ ମୋ ହାତ

ଡାକିନାହିଁ କେବେଠାରୁ ରଖ ଜଗନ୍ନାଥ।


ଦେଇନି ନୈବେଦ୍ୟ ପ୍ରଭୁ ପାଇନି କୈବଲ୍ୟ

 ପଣତରେ ବାନ୍ଧିନାହିଁ ଟିକିଏ ନିର୍ମାଲ୍ୟ

ଗରୁଡ଼ ପଛରେ ଥାଇ ଦେଖିନି ତୁମକୁ

ଆଖିରେ ଆଖି ମିଶାଇ ଭୁଲିନି ନିଜକୁ।


ଜମା ମନେନାହିଁ ମୋର କେବେ ଡାକିଥିଲ

ପାଟ ଦଉଡି ଲଗାଇ ଭିଡି ନେଇଥିଲ।

ଦେଖିଥିଲି ସ୍ନିଗ୍ଧ ବିଶ୍ୱ ରୂପ ଦେଉଳରେ

ଗପିଥିଲି କେତେକଥା ବାନ୍ଧବୀ ଭାବରେ।


ନିମନ୍ତ୍ରଣ ଛାଡ଼ ! ବନ୍ଧୁ ଇଙ୍ଗିତେ ଡାକିନ

ପରମ ସ୍ନେହରେ ଥରେ ଚିଟଉ ଲେଖିନ।

ଭୁଲିଛ ମୋ ଠିକଣାକୁ ଗାଁକୁ ମୋହର

କେଉଁ ଦୋଷ ହେଲା ମୋର ପ୍ରେମିକ ପ୍ରବର।


ଅଦୃଶ୍ୟରେ ହେଉ ପଛେ ଡାକିଦିଅ ଥରେ

ସହସ୍ର ସ୍ପନ୍ଦନ ଭରୁ ପ୍ରତିଟି ତନ୍ତ୍ରୀରେ।

ମାଗୁନାହିଁ କୌସ୍ତୁଭ ମକର କୁଣ୍ଡଳ

ଲୋଡ଼ାନାହିଁ କେବେହେଲେ ବୈଜୟନ୍ତୀ ମାଳ।


ନ ଦିଅ ଚିଟଉ ପଛେ କିଛି ବି ନକୁହ 

ଅକିଞ୍ଚନ ଟିଏ ଭାବି କୃପା ଛିଞ୍ଚିଦିଅ ।

ସେଇ ସୁକ୍ଷ୍ମ ଆଲେଖ୍ୟରେ ଜୀବନ୍ୟାସ ପାଇ

ଆତ୍ମା ମୋର ଆନନ୍ଦରେ ନାଚିଯାନ୍ତା ଗାଇ।


ଚିଠିଟି ପଢିବ ଶେଷେ ଏତିକି ଵିନତୀ

ମନେ ପକାଇବ ମୋତେ ଶ୍ରୀହରି ଶ୍ରୀପତି।

ପାଲଟା ଉତ୍ତର ଚାହିଁ ବସିଲି ଗୋସେଇଁ

ଡ଼ାକିନେବ ସ୍ୱର୍ଗଦ୍ୱାରେ କୋକେଇ ପଠେଇ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy