ଆଡପ ମଣ୍ଡପେ ତିନି ଠାକୁର
ଆଡପ ମଣ୍ଡପେ ତିନି ଠାକୁର
ଆଡପ ମଣ୍ଡପେ ତିନି ଠାକୁର
କି ସୁନ୍ଦର ଦିଶେ ଗୁଣ୍ଡିଚା ଘର
ସେନେହ ରଙ୍କୁଣୀ ଗୁଣ୍ଡିଚା ରାଣୀ
ଭାଈ ଭଉଣୀଙ୍କୁ ଆଣିଲା ଟାଣି
ପ୍ରଭୁ ଛାଡ଼ି ଶ୍ରୀମନ୍ଦିର
ନବଦୀନାତ୍ମକ ଯାତ୍ରାରେ ଆସନ୍ତି
ବରଷେ ଗୋଟିଏ ଥର ।
ସାଙ୍ଗରେ ନାହାନ୍ତି ଜଗତମାତ
ଭକତ ଭୋଳିଆ ଜଗତନାଥ
ଓହ୍ଲାଇ ଆସନ୍ତି ବଡ଼ଦାଣ୍ଡକୁ
ଯିବାପାଇଁ ଅଛି ମାଆ ଘରକୁ
ଆନନ୍ଦରେ ତିନିଦିଅଁ
ସଜବାଜ ହୋଇ ରଥଯାତରାରେ
ଆସନ୍ତି କୋଳେଇ ନିଅ ।
ଭକତି ଡୋରରେ ବାନ୍ଧିଲେ ତାଙ୍କୁ
ମିଳିଥାଏ ମୁକ୍ତି ମୋକ୍ଷ ଆତ୍ମାକୁ
ଜୀବ ସଙ୍ଗତରେ ପରମମିଶେ
ଅନାଦି ଅନନ୍ତ ଜ୍ୟୋତି ପ୍ରକାଶେ
ଭକ୍ତ ହୁଏ ଏକାକାର
ଏମିତି ଠାକୁର ଜଗତରେ ନାହିଁ
ଦାରୁବ୍ରହ୍ମ ନିରାକାର ।
ମାନବୀୟ ଲୀଳା ଦାରୁ ତନୁରେ,
ରତ୍ନସିଂହାସନେ ବସି ସେ କରେ
ଷାଠିଏ ପଉଟି ନଅଣ୍ଟେ ତାକୁ
ବିଶ୍ୱ ଡାକୁଥାଏ ଚିନ୍ତାମଣି ଙ୍କୁ
ଭବ ସିନ୍ଧୁ କର ପାରି
ଭାବ ବିନୋଦିଆ କାଳିଆ ହାତୀ ସେ
ଢାଳି ଦିଏ କୃପା ବାରୀ ।
ରହିଥାଏ ସିନା ବଡ଼ ଦେଉଳେ
ମନ ଥାଏ ତାର ଜନମ ସ୍ଥଳେ
ମନେ ପଡୁଥାଏ ଗୁଣ୍ଡିଚା ମାଆ
ଆଡପ ମଣ୍ଡପ ଚାରୁ ଚାନ୍ଦୁଆ
ମା ହାତ ରନ୍ଧା ଭାତ
ଆଡପ ଅବଢ଼ା ନାମଟି ତାହାର
କଣିକାଏ ଦିଏ ମୋକ୍ଷ ।
ଗୁପ୍ତ ବୃନ୍ଦାବନ ମହାବେଦୀରେ
ମହା ରାସ ହୁଏ ରାଧା ସାଥିରେ
ମଧୁକୁଞ୍ଜ ହୁଏ ଗୁଣ୍ଡିଚା ଘର
ଅଷ୍ଟ ସଖି ସହ ଗୋପୀ ଗୋପାଳ
ଅଦୃଶ୍ୟେ ଆସନ୍ତି ଜାଣ
ମହାଭାବମୟୀ ବୃଷଭାନୁ ଜେମା
ବିଜେ ହୋଇଥାନ୍ତି ପୁଣ ।
ଆଡପ ମଣ୍ଡପେ ଦର୍ଶନ କଲେ
ମହାପୂଣ୍ୟ ମିଳେ ଭକତ ଜନେ
ରତନବେଦୀରେ ଦଶ ବରଷ
ଦରଶନ ଫଳ ମିଳେ ଅବଶ୍ୟ
ଆଡପ ମଣ୍ଡପେ ଦେଖି
ଜନ୍ମମୃତ୍ୟୁ ଚକ୍ରୁ ଉଦ୍ଧାର ଜୀବତ୍ମା
କୋଟି ଜନ୍ମ ପାପ ନାଶି ।