ମୋ ବଡ଼ ମାଆ
ମୋ ବଡ଼ ମାଆ
ଖାଲି ପଡ଼ିଅଛି ବିଞ୍ଛଣା ତାହାର
ଖାଲି ପଡ଼ିଅଛି ଘର,
ଅଫେରା ରାଇଜେ ଯାଇଛି ବୁଲି ସେ
ସମସ୍ତଙ୍କୁ କରି ପର l
ଶୁଭୁନାହିଁ ଆଉ ତାର କଣ୍ଠ ସ୍ୱରେ
ହରେ କୃଷ୍ଣ ହରେ ରାମ,
ଛାଡ଼ି ଦେଇଗଲା ସଂସାରର ଦୁଃଖ
ଯନ୍ତ୍ରଣାର ଇହ ଧାମ ।
କେତେ ଯେ ଦେଇଛି ଶରୀରରୁ ଶ୍ରମ
ନିଗାଡ଼ିଛି ଲହୁ ଲୁହ ,
ନିରିମାଖି ସିଏ ନିରିହ ମଣିଷ
ତା ପରି କିଏ ସେ କୁହ ?
ଯାହାକୁ ଦେଖଇ ନିଜର ଭାବଇ
ପାଖକୁ ଯାଅଇ ଧାଇଁ,
ମୁଣ୍ଡକୁ ଆଉଁସି ଗେଲ କରିଦିଏ
ସଭିଙ୍କର ମାଆ ହୋଇ ।
ହାତେ ଧରି ବାଡ଼ି ଥିରି ଥିରି ଚାଲେ
ମୁଣ୍ଡରେ ଓଢ଼ଣୀ ଦେଇ,
ପାକୁଆ ପାଟିରେ ଗୁଣ୍ଡିଚୁନ ଟିକେ
ମଳି ମଳି ଦିଏ ଥୋଇ ।
ପଡ଼ିଅଛି ଆଜି ସେହି ପାନ ମୁଣି
ଖଣ୍ଡ ଖଣ୍ଡ ଚିରା ପାନ,
କହୁ ନାହିଁ ଆଉ ଗୁଣ୍ଡି ଟିକେ ଦିଅ
ଦିଏ ଟିକେ ମୋତେ ଚୂନ ।
ବାକୁସେ ପଡ଼ିଛି ଆଠେଣ
ି ଚ଼ାରେଣି
ପୁରୁଣା କଉଡ଼ି ଯେତେ ,
ତାଲା ଝୁଲୁଅଛି ସୁନା ଥିଲା ପରି
ଅତି ଯତନରେ ସତେ |
କଦଳୀ ପଣାସ ଆମ୍ବ ଖାଇବାକୁ
ଭାରି ଭଲ ପାଉଥିଲା,
ବସା ଦହି ପୁଣି ଦହିବରା ଦେଖି
କେତେ ଖୁସି ହେଉଥିଲା l
ଚୁଡ଼ା ଲୁଣ ଟିକେ ନିତି ଖାଇଦିଏ
ଅତି ଆନନ୍ଦରେ ସେହି,
ପାକୁଆ ପାଟିରେ ଗୁମୁରି ଗୁମୁରି
ପ୍ରଭୁ ନାମ କହି କହି ।
ଆଉ ଶୁଭିବନି ତାର ସେ ଗୁମୁରା
ସ୍ନେହ ବୋଳା ବାପା ଡାକ ,
ବାୟାଣୀ ପାଗଳୀ କାନ ଶୁଣିବନି
ଆଉ ଏ ଜୀବନ ଯାକ |
ମୁକ୍ତି ଦିଅ ପ୍ରଭୁ ତାର ସେ ଆତ୍ମାକୁ
କଷ୍ଟ ତ ଦେଲଣି କେତେ,
ସବୁ କର୍ମଫଳ ହେଲାଣି ଦୁର୍ବଳ
ସହିଗଲା ଦଣ୍ଡ ଯେତେ ।
ତୁମ ନାମ ଧରି ମନେ ସ୍ମରି ସ୍ମରି
ଗଲା ସେ ତୁମରି ପାଶେ ,
ଶ୍ରଦ୍ଧା ସ୍ନେହ ଦେଇ ରଖିବ ତାହାକୁ
ଦେଖିବନି କେବେ ରୋଷେ ।