ମୋ ଗାଁ
ମୋ ଗାଁ
ମହାନଦୀ ସଙ୍ଗେ ମିଳିତ ହୋଇଛି
ମୋ ଗାଁର ସରୁ ନଈ,
କେତେ ଯେ ସାହାଯ୍ୟ ହାତ ବଢ଼ାଇଛି
ମିଳନ ସଂଗୀତ ଗାଇ ।
ଗାଁ ମା ମୋର ବସିଅଛି ଚାହିଁ
ନାମ ତା ବିଚାରମଣି,
ମନବାଞ୍ଛା ସବୁ କରଇ ସେ ପୂର୍ଣ୍ଣ
ସଭିଙ୍କ ମନକୁ ଜାଣି ।
କାହିଁ କେତେ ଦିନୁ ନଦୀକୂଳ ପାଶେ
ରହିଅଛି ବଟ ବୃକ୍ଷ,
ସେ ବୃକ୍ଷ ମୂଳରେ ପୂଜା ପାଏ ମାଆ
ସେଠି ପାଏ ସିଏ ସୁଖ ।
ବିବାହ ବ୍ରତରେ ପୂଜାପରବରେ
ସିଏ ଆମ ସୁଖେ ଦୁଃଖେ ,
ତାହାରି କୋଳରେ ମମତା ଅଜାଡ଼ି
ରଖିଥାଏ ତାର ପାଖେ ।
ଧାନ ବିଲ ପାଖେ ହୋଇଛି ସଜାଡ଼ି
ଖଜୁରୀ ଗଛର ଧାଡ଼ି ,
ଭଇଁଚି,କଣ୍ଟେଇ ପାଳଧୂଆ କୋଳି
ଗଛରୁ ପଡ଼ିଛି ଝଡ଼ି ।
ଧାଡ଼ି ଧାଡ଼ି ତାଳ ବଣ ଦିଶୁଅଛି
ଆମ୍ବତୋଟା ପାଶେ ଦେଖ,
ସେଠି ନାହିଁ ବାଇଚ଼ଢ଼େଇ ଠିକଣା
ଦିଶୁଅଛି ପେଚ଼ା ମୁଖ ।
ସଞ୍ଜ ଗଲେ ଗଡ଼ି ବିଲୁଆ ବୋବାଏ
ଦଣ୍ଡା କିଆବୁଦା ମୂଳେ,
p>
ଦନ୍ତା ମାଙ୍କଡ଼ଟା ଲୁଚି ବସିଯାଏ
ଆମ୍ବଗଛ ଉଢ଼ାଳରେ l
ହଳଦି ହଳଦି କୋଳି ଦିଶିଲାଣି
ସାହାଡ଼ା ଗଛର ଦେହେ,
ଜାମୁକୋଳି ସାଥେ ପାଚିଲା ପିଜୁଳି
ସଭିଙ୍କ ମନକୁ ମୋହେ ।
ପେନ୍ଥା ପେନ୍ଥା ହୋଇ ଝୁଲୁଥାଏ ଧାନ
ସୁନା ପରି କ୍ଷତ ପରେ,
ନିଦ ଭାଙ୍ଗି ଉଠେ ସୂରୁଜ ମୁଖିଟି
ସୂର୍ଯ୍ୟଙ୍କୁ ପ୍ରଣତି କରେ ।
ପୂଜା ,ମେଳା ,ଓଷା ,ମେଲଣ,ଯାତରା
ପାଲା ପୁଣି ପ୍ରବଚନ,
ରାମଲୀଳା ପୁଣି ଘୋଡ଼ାନାଚ ଦେଖ
ଆନନ୍ଦେ କଟଇ ଦିନ l
ଘର ଘର କଳି,ଶଙ୍ଖ ହୁଳହୁଳି
ସାଙ୍ଗ ସାଥିର ସେ ମେଳି,
ଦୋଳର ମେଲଣ,ଦେଖ ହେ ଝୁଲଣ
ରଜ ପାଇଁ ସଜ ଦୋଳି |
ନାନା ପରବରେ ମହକି ଉଠଇ
ମୋର ଏଇ ଛୋଟ ଗାଁ,
ଦଶମାଣକୂଳ ନାମେ ପରିଚିତ
ତାର ସେ ସୁନ୍ଦର ନାଁ l
ପିଲାବେଳ ମୋର କଟିଛି ତା ସାଥେ
କେତେ ଖୁସି ଆନନ୍ଦରେ,
ପ୍ରତିଛବି ତାର କରିଅଛି ଘର
ଏଇ ମୋର ହୃଦୟରେ l