ଦୁଃଖର ତାଡ଼ନା
ଦୁଃଖର ତାଡ଼ନା
କାଗଜ କାନ୍ଦିବ ଯଦି ଦୁଖ ମୋର ଶୁଣି
କାହାପରେ ଲେଖିବି ମୁଁ ମୋ ଅଧା କାହାଣୀ |
ଭିଜା ଭିଜା ଆଖି ମୋର ଅସୁମାରୀ କୋହ,
ଦୁଃଖ ଦେଇଥିବା ସବୁ ଚିହ୍ନା ଚିହ୍ନା ମୁହଁ ।
ଅସହ୍ୟ ଯନ୍ତ୍ରଣା ଦିଏ ଛାତି ତଳେ ଥାଇ
ବହି ଚାଲେ ସିରା ପୁଣି ଧମନୀ ଭେଦାଇ ।
ଦ୍ବନ୍ଦ କରେ ଆତ୍ମା ପୁଣି ହୃଦୟ ସାଥିରେ
ମୁକ୍ତି ପାଇଁ ଇଚ୍ଛା କରେ ଅତି ବିକଳରେ ।
ନିଶୃତ ହେବାକୁ ଚାହେଁ ଗଳା ମଧ୍ୟ ଦେଇ
ରାତି ରାତି କେତେ ଆର୍ତ୍ତ ଚିତ୍କାର କରଇ |
ସତଯଦି କହି ଦିଏ କେବେ ମୁଁ କ୍ରୋଧରେ
ସମ୍ପର୍କ ମୋ ଛିଡ଼ିଯାଏ ଅତି ସହଜରେ ।
ଗୁନ୍ଥି ଅଛି ବିହି ଯାକୁ ମୋ ଭାଗ୍ୟ ଡ଼ୋରିରେ
ଛିଡ଼ାଇବି ଜାଣି ଜାଣି କିବା ସ୍
ୱହସ୍ତରେ l
ମୁଖା ତଳେ ଲୁଚୁପଛେ ପ୍ରକୃତ ଚ଼େହେରା,
ଉପରକୁ ଦେଉଥାନ୍ତି ସଭିଏଁ ସାହାରା ।
ମିଛ ପଛେ ହେଉ ସ୍ନେହ କିଞ୍ଚିତେ ମିଳୁଛି
ଜୀବନଟା ଜୀଇଁବାକୁ ସାହାରା ଦେଉଛି |
ଦୁଃଖଭାରେ ଫାଟୁ ପଛେ ଛାତିର କଲିଜା
ସତ୍ୟ କହି ସହିବିନି ଅନାଥର ସଜ୍ଜା |
ବ୍ୟାକୁଳ ମୋ ଆଖି ଲୁହ ନିଶି ପ୍ରତିକ୍ଷାରେ
ବହିବାକୁ ଇଚ୍ଛା ତାର ରାତ୍ରୀର ଅନ୍ଧାରେ ।
ଦେଖା ଦେଲେ ଦିବସେ କେ ଭାବିବ ଦୁର୍ବଳ
ଭାଙ୍ଗିଯିବ ସଞ୍ଚିତ ମୋ ସବୁ ମନୋବଳ I
ଆଉ କହିବିନି ଦୁଃଖ ଯନ୍ତ୍ରଣାର କଥା
ମୋ ଲାଗି ମୁଁ ଦେବି ନାହିଁ ଆନମନେ ବ୍ୟଥା ।
ଗୁପ୍ତ କବରରେ ଦେବି ସମାଧି ତାହାକୁ
ପ୍ରତିଶ୍ରୁତି ଦେବି ହସ ହୋଇ ଝରିବାକୁ l