ମଶାଣି ଚଣ୍ଡି
ମଶାଣି ଚଣ୍ଡି
ବରଷା ରାତିରେ ବିଜୁଳି ଚମକେ
ଘଡ଼ ଘଡ଼ି କରେ ରଡି,
ଥଣ୍ଡା ପବନରେ ଶିହରଇ ଦେହ
ଭୟ ଆଶେ ମାଡ଼ି ମାଡ଼ି ।
ଟପର ଟପର ପତରେ ଗଡୁଛି
ପଡ଼ି ବରଷାର ଧାର,
ପୋଖରୀ ତୁଠରେ ଢମଣା ଧରିଛି
ତଣ୍ଟି ବୁଢୀ ବେଙ୍ଗୁଲିର ।
ମଶାଣି ପାଖରୁ ବାରବାର ଶୁଭେ
ବିକଟାଳ ଶବ୍ଦ ଏକ,
ଆକାର ନୁହେଁ ସେ କଦାକାର ଦେହ
ବିଜୁଳିରେ ଦିଶେ ମୁଖ ।
କଳା ମଚ ମଚ କେଶର ଭିତରେ
ନାଲି ନାଲି ଡିମା ଆଖି,
ଶରୀର ନୁହେଁ ସେ ସତେ ଗୋଟେ ପିଣ୍ଡ
ଭୟ ଲାଗେ ତାକୁ ଦେଖି ।
ଏପାଖ ସେପାଖ ବୁଲି ବୁଲି ସିଏ
ଦେଉଥାଏ ଖାଲି ଡାକ,
ସାମ୍ନାକୁ ଯିଏ ତା ଆସିବ ଏ କ୍ଷଣି
ମୋଡି ଦେବ ତାର ବେକ ।
ଜଣା ନାହିଁ ସିଏ କେଉଁଠୁ ଆସିଲା
ମଶାଣି ରେ କାଇଁ ରୁହେ,
ମଶାଣିର ଚଣ୍ଡି ବୋଲାଏ ତ ସିଏ
ମଶାଣିକୁ ଜଗି ଥାଏ ।।