ବର୍ଷାର ସେ ଅନ୍ଧାର ରାତି
ବର୍ଷାର ସେ ଅନ୍ଧାର ରାତି
ବର୍ଷା ରାତି ଅନ୍ଧକାର ଲାଗେ ଅତି ଭୟଙ୍କର
ଗରଜଇ ସୁଉ ସୁଉ ସ୍ରୋତ ବିକରାଳ ,
ଭାଙ୍ଗିଦେଇ ବନ୍ଧବାଡ ଲଙ୍ଘିଯାଏ ଦୁଇ କୂଳ
ମାଡିଆସେ ଦେଖୁ ଦେଖୁ ବନ୍ଯା ନଦୀ ଜଳ ।
ବହିଯାଏ ମଞ୍ଜଧାର ଉଦଗାରିଣ ଧଳାଫେଣ
କୁଳୁକୁଳୁ ତଟିନୀର ନାଦ ବିସଙ୍ଗତ ,
ବିଷରେ ହୋଇ ଜର୍ଜର ନାଗୁଣୀ ନଦୀ ଉତ୍ଫଣ
କାଳସର୍ପ କବଳରେ ଜୀବନ ଦଂଶିତ ।
ଉଦ୍ଭବେ ମହା ବିପତ୍ତି ଚାରିତ୍ରିକ ଅଧୋଗତି
ବୃଦ୍ଧିପାଏ ସମାଜରେ ଅଶାନ୍ତି ଅନ୍ଯାୟ ,
ଚର୍ତୁପାର୍ଶ୍ବେ ପ୍ରଦୂଷଣ ଡହଳ ବିକଳ ପ୍ରାଣ
ବିଭୀଷିକା ସୃଷ୍ଟି କରେ ଜଳର ପ୍ରଳୟ ।
ଚୂନା ସବୁ ସୁନା ସ୍ବପ୍ନ ବର୍ଣ୍ଣସଙ୍କରତା ପୂର୍ଣ୍ଣ
ବେଫିକର ବାଳୁଙ୍ଗାଙ୍କ ଦୌରାତ୍ମ୍ଯ ପ୍ରବଳ,
ବର୍ଷା ରାତି ଅନ୍ଧକାରେ ଜୀବନ ସ୍ରୋତ ପ୍ରଖର
ଉଗ୍ର ଅପସଂସ୍କାରରେ ତୀବ୍ର ବ୍ଯଭୀଚାର ।

