ଡାହାଣୀ ଆଲୁଅ
ଡାହାଣୀ ଆଲୁଅ
ନିଶବ୍ଦ ରାତିର ଅଭିସାରିକା ଗୋ
ଉଆଁସୀ ରାତିର ଚାନ୍ଦ
ଚଞ୍ଚଳ ମୋର ଅଂଚଳ ତଳେ
ଶୁଖିଯାଇ ଅଛି କାନ୍ଦ
କରୁଣ କାହାଣି କା ଆଗେ କହିବି
ଭାଗ୍ୟ ହେଲା ମୋର ମନ୍ଦ
ନିଶବ୍ଦ ରାତିର ଅଭିସାରିକା ଗୋ
ଉଆଁସୀ ରାତିର ଚାନ୍ଦ.....।
ଜୀବନେ ଘଟିଲା ଏମିତି କାହାଣୀ
କହିହୁଏ ନାହିଁ ଜମା
ଖେଳିଥିଲା ଯିଏ ମୋ ଭାଗ୍ୟ ସାଥିରେ
ଦେବିନି ତାକୁ ମୁଁ କ୍ଷମା
ଖୋଜୁଛି ସେମିତି ଅନବରତ ମୁଁ
ମୋଡ଼ି ଦେବି ତାର ମୁଣ୍ଡ
ନିଶବ୍ଦ ରାତିର ଅଭିସାରିକା ଗୋ
ଉଆଁସୀ ରାତିର ଚାନ୍ଦ......।
ମୋ ଭୟରେ କେହି ଯାଏନାହିଁ ବାଟେ
ପକାଏ ତାଟି କବାଟ
ଆଲୋକବର୍ଣ୍ଣଳୀ ମୋରଜ୍ୟୋତି ରାଶି
ଦନ୍ତ ହୁଏ କଟମଟ
କେବେ ହସ କାନ୍ଦ ଅଟ୍ଟହାସ୍ୟ କେବେ
ଆନ ଭିନ୍ନ ରୂପ ଛନ୍ଦ
ନିଶବ୍ଦ ରାତିର ଅଭିସାରିକା ଗୋ
ଉଆଁସୀ ରାତିର ଚାନ୍ଦ......।
ସୂକ୍ଷ୍ମ ଛାୟା ରୂପ ବିଭତ୍ସ ଶରୀର
ପାଦ ନାହିଁ ମଥା ଅଛି
ତଥାପି ମୋ ତନୁ ପବନୁ ପ୍ରଖର
ମାରିବି ମୁଁ ବାଛି ବୁଛି
ସମାଜର ସବୁ କଳଙ୍କ ଚରିତ୍ର
ଅକାଳେ କରିବି ବନ୍ଦ ନିଶବ୍ଦ ରାତିର ଅଭିସାରିକା ଗୋ
ଉଆଁସୀ ରାତିର ଚାନ୍ଦ.......।।

