ଅଭୁଲା ସ୍ମୃତି
ଅଭୁଲା ସ୍ମୃତି
ଘନ ଅନ୍ଧକାରେ ମଧ୍ୟ ରାତ୍ରିଟାରେ
ଦରଜା ପିଟିଲା କିଏ,
ପଚାରି ପଚାରି ଥକିଗଲି ପଛେ
ଉତ୍ତର ନଦେଲା ସିଏ |
ପାଶେ ଥିଲେ ମୋର ମାଆ ଓ ଭଉଣୀ
ଲାଗୁଥିଲା ଭାରି ଡ଼ର,
ମନେ ଶଙ୍କାଥିଲା ଭୂତ,ପ୍ରେତ ଅବା
ନିର୍ଜନ ରାତ୍ରିର ଚୋର |
ଫୋନ ମାଧ୍ୟମରେ ଜଣାଇଲି ମୁହିଁ
ଘର ଅନ୍ୟ ସଦସ୍ୟଙ୍କୁ,
ଡ଼ରରେ କେବେ ମୁଁ ଦରଜା ନଖୋଲି
ଚାହିଁଥିଲି ଝରକାକୁ |
କାକା,କାକି ଆସି ଝରକା ବାଡେଇ
ଡାକିଲେ ମୋ ନାମ ଧରି,
ଶବ୍ଦ ନବାରି ମୁଁ କବାଟ ଖୋଲିଲି
ଈଶ୍ୱରଙ୍କ ନାମ ସ୍ମରି |
ଅନ୍ଧକାର ଥିଲା ଦରଜା ପାଖରେ
କେହିତ ନଥିଲେ କାହିଁ,
ପୋଖରୀ ବନ୍ଧରୁ ଚିତ୍କାର ଶୁଭିଲା
କାକା,କାକୀ ଗଲେ ଧାଇଁ |
କାହାକୁ ନପାଇ ନିରାଶ ସେ ହେଲେ
ଫେରିଲେ ଘରକୁ ତାଙ୍କ,
ରାତ୍ରି ପାହିଗଲା ଅନିଦ୍ରା ଭୟରେ
ଛାତି ହେଲା ଧକଧକ |
ସେଦିନ ରାତ୍ରିରେ ଛାତର ଉପରେ
ଅତିଥି ଯେ ଥିଲେ ଶୋଇ,
ରାତ୍ରି ସାରା କିଏ ଘର ଫାଟକକୁ
ଦେଉଥିଲା ଦୋହଲାଇ |
ବଖାଣି ବସିଲେ ତାଙ୍କ ଅନୁଭୂତି
ଘଟିଥିଲା ସବୁ ଯାହା,
ଶ୍ରାଦ୍ଧ ଭୁଲିବାରୁ ଏପରି ଘଟିଲା
ବିଜ୍ଞଜନ ବାଣୀ ଏହା |
ଘଟଣାଟି ଯେଉଁ ଦିନ ଘଟିଥିଲା
ସେଦିନ ଭୁଲିଲୁ ଶ୍ରାଦ୍ଧ,
ଆତ୍ମା ରୁପେ ଆସି ସୂଚିତ କରିଲେ
ମୁଣ୍ଡେ ନେଲୁ ଅପବାଦ |
ଜୀବନ ପଥରେ ଏମିତିକା ସ୍ମୃତି
ଭୁଲି ହୁଏନାହିଁ ମନୁଁ,
ବାଇଶି ବର୍ଷର ଅନୁଭୂତି ଏହା
ସାଇତିଛି ସେହି ଦିନୁ |