କାହିଁକି କରୁଛୁ ଗର୍ବ
କାହିଁକି କରୁଛୁ ଗର୍ବ
ରେ ଅବୁଝା ଅଝଟିଆ ପାଗଳା ମନ
ଜାଣି ଶୁଣି ସଂସାରର କଥା
ନିମିତ୍ତ ମାତ୍ରକୁ କାହିଁକି କରୁଛୁ ଗର୍ବ ?
ହିରଣ୍ୟକଶିପୁ କଂସ ରାବଣଙ୍କଠାରୁ
ଯେତେ ବି ମହାପ୍ରତାପୀ ଅହଂକାରୀ ଦଳ
ସଭିଙ୍କର ଗର୍ବ ହୋଇଛି ଖର୍ବ।
ତୁ ରେ ମନ କେଉଁ ଛାର
ପାଣି ଫୋଟକାର ଜୀବନ ତୋର
ସାରୁ ପତରର ଜଳ ପରି ହୁଏ ଢଳ ଢଳ,
ଦଲକାଏ ପବନ ବାଜିଲେ ସେ ପତରେ
ପଡିବରେ ଅଚାନକ ତଳକୁ ଗଡି
ତୋ ଅଜାଣତରେ ଆସିଗଲେ ସେ ବେଳ।
ଅହମିକାର ପବନ ଫୁଙ୍କି ଫୁଲିଯାଉ ସିନା
ବେଲୁନ୍ ପରି ହେବାକୁ ବଡ଼ରୁ ବଡ଼
ସାମନ୍ୟ ରବର ଖଣ୍ଡିକର କି ଭରସା ଅଛି ?
କେତେବେଳେ ଫାଟିଗଲେ ହେବ ଢୋ
ଯେତେ ଥାଉ ତୋର ଧନବଳ ବାହୁବଳ
ସମ୍ଭାଳି ପାରିବେନି କରି କେହି କିଛି।
ପଦ ମର୍ଯ୍ୟଦା କ୍ଷମତା ପ୍ରତିଷ୍ଠା ପାଇଁ
କେତେ ଦିନକୁ ଏ ଆସ୍ଫାଳନ ବାହୁସ୍ଫୋଟ
ଜାବୁଡ଼ି ଧରିଥିବୁ ଦୁନିଆଁ ଯାକ,
ଆଲୁଅ ଲିଭିଲେ ଅନ୍ଧାର ଆସିବ ମାଡ଼ି
ଅନ୍ଧପଣେ ଅନ୍ଧାରରେ ଯିବୁ ହଜି
ରହିବ ନାହିଁ ଆଉ ତୋର ତିଳେ ବି ଟେକ।
ଅବୁଝା ନ ହୋଇ ରେ ମନ
ନିଜ ଭିତରର ସେ ଅହଂପଣ କର ତୁ ଦୂର,
ସପନ ସାଗରେ ଆନନ୍ଦର ଲହରୀ ଖେଳିବ
ମଧୁମୟ ଲାଗିବ ସାରା ସଂସାର।
ହୃଦୟକୁ କର ତୋର ସୁକୋମଳ ମହକଭରା
ଭଲ ପାଇବାର ମହକ ବିତରି ସଭିଙ୍କୁ
ମହନୀୟ ଗୁଣେ ହୋଇ ଯା ରେ ଉଦାର,
ଭୁଲି ତୁ ଭେଦାଭେଦ ହେୟ ମନୋଭାବ
ଅନାବିଳ ଭାବେ କଲେ ଆଦର
ସଭିଏଁ ହୋଇବେ ତୋ ନିଜ ଆପଣାର।
ଜୀବ ଯେବେ ଯିବ ପରଂବ୍ରହ୍ମଙ୍କୁ ଭେଟିବୁ
ପୁଣ୍ୟବଳେ ବୈକୁଣ୍ଠେ ପାଇବୁ ତୁ ସ୍ଥାନ
ମାନବ ଜନମ ହୋଇବ ତୋର ସାର୍ଥକ,
ଆପଣାର ଜନ ଯେତେ ହେଉଥିବେ ଝୁରି
ସ୍ମୃତି ହେବ ତୋର ପ୍ରେରଣାର ଉତ୍ସ
ଅମର ରହିଥିବୁ ଛାଡିଗଲେ ବି ମର୍ତ୍ତ୍ୟଲୋକ।

