STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Inspirational

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Inspirational

ଭୁଲିବାନି ଅତୀତକୁ

ଭୁଲିବାନି ଅତୀତକୁ

1 min
258

ପ୍ରତିଟି ଜୀବନର ଅତୀତ 

ନିଜ ହାତ ଲେଖା ଏକ ଇତିହାସ

ଆଗକୁ ମାଡି ଆସିବା ଦୂରତା

ଆକଳନର ଏକ ହିସାବ ଫର୍ଦ୍ଦ

ମନର ବୈଠକ ଘରେ

ଟଙ୍ଗା ଯାଇଥିବା ସବୁ ସ୍ମୃତି ଚିତ୍ର

କାହାକୁ ନେଇ ହସିଛି ସେ

କାହାକୁ ନେଇ ଝରାଇଛି ଆଖି ଲୁହ

ହସ ଲୁହର ଲୁଚକାଳି ଖେଳ ଭିତରେ

ନିଜକୁ ନିଜେ କରିଛି ଆବିଷ୍କାର

ତାକୁ କରି ପୁଣି ମୂଳଦୁଆ

ପରିକଳ୍ପନା କରିଛି ଭବିଷ୍ୟତରେ

ଗଢିବାକୁ ଏକ ସ୍ୱପ୍ନର ଉଆସ।


ସେ ଅତୀତ ହେଇଛି ତାକୁ

ବର୍ତ୍ତମାନର ପରିଚୟ

ସମାଜର ବଡ଼ଦାଣ୍ଡେ ଚାଲିବାକୁ

ଶରୀରର ନନ୍ଦିଘୋଷରେ

ଶ୍ରୀଜଗନ୍ନାଥଙ୍କୁ ହୃଦୟେ ବସାଇ

କରୁଛି ତାର ରଥଯାତ୍ରା

ବିଶ୍ଵାସ ଭରସାକୁ କରି ନିକିତି

ମାପିଚାଲେ ନିଜର ପାପ ପୂଣ୍ୟ।


ତା' ଅତୀତର ଜୀବନ ବୃତ୍ତକୁ ନେଇ

ତୁଳନା କରି ଅଙ୍କନ କରେ

କେତେ ଅନ୍ତଃ ଆଉ ବହିଃର୍ବୃତ୍ତ

ଜ୍ୟା ଚାପକୁ ନେଇ କରେ ଅନୁଶୀଳନ

ଭୂଗୋଳର ଭୂଖଣ୍ଡରେ ଦେଖେ ମାନଚିତ୍ର

ଜୀବନ ଜ୍ୟାମିତିର ଉପପାଦ୍ୟକୁ

ସମୟର କ୍ୟାନଭାସରେ ପ୍ରାଞ୍ଜଳ ଭାବେ

ସୂତ୍ର ଧରି କରେ ପ୍ରମାଣିତ

ଭୁଲ୍ ଠିକର ଦୋଛକିରେ ଠିଆ ହୋଇ

ଅତୀତକୁ ଦେଖି ନିଏ ସିଦ୍ଧାନ୍ତ

ଆଗକୁ ଆଗେଇଥିବାର ପାଦଚିହ୍ନ

କରେ ତାକୁ ପ୍ରେରଣା ଦେଇ ସ୍ୱାଗତ।


ସାରା ସଂସାରର ଜଟିଳ ତଥ୍ୟକୁ

ନିଜ ଦକ୍ଷତା ଅନୁଯାୟୀ

ଯେତିକି ପାରେ ଆହରଣ କରି

ତାକୁ ନେଇ କରେ ଭାବ ଶବ୍ଦର ବିନ୍ୟାସ

ବୁଝେ ଦେଶ ଜାତିର ସ୍ୱାଭିମାନ

ଐତିହ୍ୟ ପରମ୍ପରା ସଂସ୍କୃତିର ଯେତେ

ଅମ୍ଳାନ କଳା ସ୍ଥାପତ୍ୟ ଶୈଳୀ

ଗଚ୍ଛିତ ଅଛି ଯା' ଅତୀତର ଗନ୍ତାଘରେ

ସେ ସବୁ କରେ ତାକୁ ଉଦବୁଦ୍ଧ

ବର୍ତ୍ତମାନକୁ ସଜାଡ଼ି ଭବିଷ୍ୟତ ଗଢିବାକୁ

ବିଗତ ଦିନର ସେ ପୃଷ୍ଠା ପୃଷ୍ଠା

ଅନୁଭୁତି ଅଭିଜ୍ଞତାକୁ ନେଇ

ସଂପର୍କର ଅଛିହ୍ନ ସୂତାରେ ଗୁନ୍ଥି 

ଗ୍ରନ୍ଥଟିଏ କରିବାକୁ ଭୁଲିବାନି ଅତୀତକୁ।

 *** *** *** *** ***



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational