ପ୍ରୀତି ପସରା
ପ୍ରୀତି ପସରା
ଅସରା ଏ ପ୍ରୀତି ପସରା
ଅମୃତରେ ହୋଇଛି ଭରା
ତା ପାନରେ ପ୍ରୀତ ସଂସାର
ପ୍ରବାହିତ ହୁଏ ଜୀବନଧାରା,
ତଳେ ଏ ମାଟି ମାଆ
ସକଳ ବିଭବର ବସୁନ୍ଧରା
ଉପରେ ଆକାଶର
ତେଜିୟାନ ସୂର୍ଯ୍ୟ ଚନ୍ଦ୍ର ତାରା।
ପ୍ରୀତି ପୂଣ୍ୟ ପବିତ୍ର ଅମଳିନ
ମନର ସ୍ମୃତିରେ ଥାଏ ଅପାଶୋରା
ଜୀବନର ଅବଲମ୍ବନ
ବଞ୍ଚିବାକୁ ଦେଇଥାଏ ସାହାରା,
ଭାବ ପ୍ରୀତିରେ ବନ୍ଧା ଜଗତ ସାରା
ହୃଦୟ ସାଥେ ହୃଦୟର
ସଂପର୍କକୁ ରଖିଥାଏ ନିଆରା।
ପ୍ରକୃତିରେ କୀଟ ପତଙ୍ଗଠାରୁ
ଧନୀ ଗରିବ ସର୍ବହରା
ପ୍ରୀତିର ସବୁ ବୋଲକରା,
ପ୍ରେମ ପ୍ରୀତିରେ ପୂର୍ଣ୍ଣ ହୁଏ ଅଧୁରା
ଆଶା ଆକାଂକ୍ଷାର ଏ ନିର୍ଝରା
ଝରି ଝରି ଝରାଏ ଅନ୍ତରରୁ
ଭଲ ପାଇବାର ଅମୀୟ ଧାରା।
ମାଆର ମହନୀୟ ମମତାଠାରୁ
ପ୍ରେୟସୀ ପ୍ରିୟାର ଇସାରା
ସବୁଠି ଏ ପ୍ରୀତି ମଧୁଝରା,
ଭାଇ ବନ୍ଧୁ ସଖା ଆତ୍ମୀୟଜନ
ପ୍ରୀତିରେ ତୁପ୍ତି ପାଆନ୍ତି ପରା
ଦାନ ପ୍ରତିଦାନର ଏ ସୂତ୍ରଧାରା।
ଦୁଃଖ ସୁଖ ହସ କାନ୍ଦର
ଶୀତ ବର୍ଷା ଖରାରେ ବର୍ଷସାରା
ପ୍ରୀତି ମୃଦୁ ମଳୟ ପରା,
ଶାନ୍ତି ସନ୍ତୋଷ ଭରିଦିଏ ପ୍ରାଣେ
ଏ ସତ୍ୟ ଶିବ ସୁନ୍ଦରର ତ୍ରିଧାରା।
କୋମଳ ହୃଦୟଟିଏ ହୁଏ ଯା'ର
ଏକ ପ୍ରୀତିର ପସରା
ମଧୁମୟ ତା ଲାଗି ଦୁନିଆଁ ସାରା,
ଆନନ୍ଦେ ଗାଏ ସେ ଜୀବନ ଗୀତି
ହୁଏ ଯା ରୋମାଞ୍ଚକ ଭରା।

