ସନ୍ଦେହ
ସନ୍ଦେହ
ତୁମକୁ ଦୃଢତାର ସହ ପାରୁନି କହି
କି ଦେଉନି ମିଛ ପ୍ରତିଶ୍ରୁତି
ସନ୍ଦେହ କେବେ ଆସିବ ନାହିଁ ବୋଲି
ମନକୁ ଚାପରେ ଭାରାକ୍ରାନ୍ତ କରି
ଏ ସନ୍ଦେହ କେବଳ ମୋ ମନରେ ନୁହଁ
ତୁମ ମନରେ ବି ଆସିପାରେ
ସବୁରି ମନକୁ ମଧ୍ୟ ଆକ୍ରାନ୍ତ କରି ପାରେ
ଏ ସନ୍ଦେହ ହେଉଛି ଏକ ପ୍ରହେଳିକା
ଅଦୃଶ୍ୟ ଭାବନାର ସ୍ବାଭାବିକ ପ୍ରକ୍ରିୟା
ଚଳ ଚଞ୍ଚଳ ଅସ୍ଥିର ମନର
ଏ ହେଉଛି ଏକ ଦୋଳାୟମାନ ଆଶଙ୍କା
ଆକାଶର ମେଘ ପରି ଅକସ୍ମାତ ମାଡି ଆସି
ମନ ଆକାଶକୁ କରେ ଆଚ୍ଛାଦିତ
କେତେବେଳେ ବର୍ଷି ଯାଏ ଝଡ଼ ବାତ୍ୟା ହୋଇ
କେତେ ବେଳେ ପୁଣି ଭାସି ଭାସି
ମହାଶୂନ୍ୟରେ କେଉଁଆଡ଼େ ଯାଏ ଉଭେଇ
ସନ୍ଦେହ ଅଦେଖା ପବନ ପରି
ଛୁଇଁଯାଏ ମନକୁ ପ୍ରାଣକୁ ଦିଏ ଦୋହଲାଇ
ହରାଇ ବସେ ଜଣେ ତାର ଭାରସାମ୍ୟତା
ସ୍ବତନ୍ତ୍ର ବିଚାରଧାରା ସବୁ ହୁଏ ବାଧାପ୍ରାପ୍ତ
ମୁହଁ ମୋଡ଼ି ହୃଦୟରୁ ଦୂରେଇ ଯାନ୍ତି
ଭରସା ବିଶ୍ଵାସର ଯେତେ ଦୃଢ ବୁଝାମଣା
ଭିତରେ ଭିତରେ ଘୁଣ ଚରିଯାଏ
ନିଜର ଦାମ୍ଭିକତା ଆଉ ଆପଣାପଣ
ଲାଗେ ସବୁ କୁହୁଡ଼ି ପରି ଧୂଆଁଳିଆ
ଆକାଂକ୍ଷା ପାଲଟେ ପ୍ରବଞ୍ଚନାର ମରୀଚିକା
ଗୋଳମାଳରେ ମସ୍ତିଷ୍କ ହୁଏ ବିଭ୍ରାଟ
ବଞ୍ଚି ରହିବାଟା ହୋଇ ପଡ଼େ ଦୁର୍ବିସହ
ଏ ସନ୍ଦେହକୁ ଠିକ୍ ଭାବରେ କରି ଚିହ୍ନଟ
ଦେବାକୁ ହୁଏ ଆନ୍ତରିକତାର ବଳିଷ୍ଠ ପ୍ରମାଣ
ଯା ଆଣିଦିଏ ପରସ୍ପର ମନେ ଦୃଢ ଧାରଣା
ଦେଖାଏ ନିର୍ଭରଯୋଗ୍ୟ ଜୀବନର ଚଲାପଥ
ସେ ପଥକୁ ଆସେନା ସନ୍ଦେହର ପ୍ରତିବନ୍ଧ
ତୁମର ମୋର ସଂପର୍କ ଘାତ ପ୍ରତିଘାତର
କଷଟି ପଥରରେ ଘସି ମାଜି ହୋଇ
ରୂପାନ୍ତର ହୋଇଛି ସ୍ବଚ୍ଛ ନିର୍ମଳ ନିର୍ବିକାର
ସନ୍ଦେହର ବାଦଲ୍ ଅପସରି ଗଲା ପରେ
ଫେରି ଆସିଛି ଆମର ଆସ୍ଥା ଆତ୍ମବିଶ୍ୱାସ
ହୋଇଛି ଅନ୍ଧକାର ରଜନୀର ଅବସାନ
ଉଇଁ ଆସି ଭାଗ୍ୟର ନବୀନ ସୂର୍ଯ୍ୟ
ଅନ୍ତରଟା କରି ଦେଇଛି ଆଲୋକମୟ
ନାହିଁ ଆଉ କିଛି ଗ୍ଳାନି କି ଅବଶୋଷ
ଏବେ ରହିବା ଯତ୍ନବାନ ନ ଆସୁ ସନ୍ଦେହ।