ବାଲି
ବାଲି
ଜ୍ୱାଳାପ୍ରପୀଡିତ ଏହି ଜଟିଳ ଜୀବନ
ବିସ୍ତିର୍ଣବାଲୁକାରାଶି ମରୁଭୂମିସମ ।
ଧରିରଖେ ସୁରୁଜଠୁଁ ଉତ୍ତପ୍ତ କିରଣ
ଅଭିଶପ୍ତ ପ୍ରାୟ ଅଟେ ଏ ବାତାବରଣ ।
କ୍ଷୁଧା ଆଉ ତୃଷ୍ନାରେ ଆକ୍ରାନ୍ତ ଏ ଚିତ୍ତ
ମୁଣ୍ଡ ଘୁରୁଥାଏ ଆତ୍ମାମୋ ବେଦନାସିକ୍ତ ।
ଆକାଶେ ପଇଁତରା ମାରନ୍ତି ଶାଗୁଣା
ଅନ୍ଧାର ଦିଶିଲା ମୁଁହି ହେଲି ବାଟବଣା ।
ଫୋଟକାଯୁକ୍ତପାଦରେ ମୁଁ ଘୋଷାରେ ଶରୀର
ବିସ୍ତିର୍ଣ ଏ ବାଲୁକାବକ୍ଷ ପାରିହେବାକୁ ଆତୁର ।
ଚାଲିବା ପାଦଟେ ଲାଗେ ସମ୍ଭବତ ନୁହେଁ
କାହୁଁ କାଳସର୍ପଟିଏ ମାଡି ଆସିଥାଏ ।
ଚୋଟଖାଇ ଭଙ୍ଗାପ୍ରାୟ ତାଳଗଛ ଗଣ୍ଡି
ଅଠା ଅଠା ଜିଭ ମୋର ଡାକେ ଖଣ୍ଡି ଖଣ୍ଡି ।
ରକ୍ଷା ରକ୍ଷ ଜଗନ୍ନାଥେ ପ୍ରଭୁ ଘେନ ମୋ ପ୍ରଣାମ
କହି ସମର୍ପିଲି ଜଗାକୁ ମୋର ମନପ୍ରାଣ ।
ମରୀଚିକା ପଛେ ଧାଇଁ ଉଠିପାରୁ ନାହିଁ
ମରଣକୁ ଆବୋରିବାକୁ ପଡିଥାଏ ତହିଁ ।
ମରୁବାଲି ହେବ ଆଜି ମୋର ସରଶଯ୍ୟା
ମର୍ତ୍ତ୍ୟର ସୁଆଦ ନାହିଁ ଚାଖିବାର ମଜା ।
ଟାକି ବସିଥିଲା ତହିଁ ଗୋଟାଏ ଛଞ୍ଚାଣ
ଝାମ୍ପ ମାରିନେଲା କାଳସର୍ପକୁ ତତକ୍ଷଣ ।
ଛଞ୍ଚାଣ ନୁହେଁ ସେ ଥିଲା ସୁଦର୍ଶନ ଚକ୍ର
ଘିରି ଘିରି ହୋଇ କାହୁଁ ବୁଲୁଥିଲା ବକ୍ର।
ହାତୁ ଅପସରିଯାଏ ଜୀବନ ବାଲୁକା
ଜାବୁଡିଲେ ଖସିଯାଏ ମୁଠାଅ ହାଲୁକା ।
ମନେ ରଖ ସଞ୍ଚିଥିବ ଆୟୁଷ ଯେତକ
କିଏ ଵନିଯିବ ଖାଦ୍ୟ କିଏସେ ଖାଦକ ।
ପାର୍ଥିବସୁଖର ଆଶା ମରୀଚିକା ପଛେ
ଦଣ୍ଡେ ଜିଁ ପାରିବନି ଯଦି ଧାଇଁଥିବ ମିଛେ ।
ମଝିରେ ସଙ୍ଗାତ ପାଦପ ଦିଶିଲେ କେଉଁଠୁ
ସ୍ନେହ ଶୀତଳତା ସାଉଁଟି ନେବାଟି ସେଉଠୁ ।
ସିକ୍ତ ବେଳାଭୂମି କେବେ ଶୁଷ୍କ ମରୁଚର
ଗଢି ଭାଙ୍ଗେ ଭୂମି ବକ୍ଷେ ବାଲିଘର ।
ବୃକ୍ଷଲଗାଇ ମରୁଦ୍ୟାନେ ଶ୍ୟାମାଳିମା ବିଞ୍ଚି
ଧରାକୁ ରଖ ବଞ୍ଚାଇ ସଂଜୀବନୀ ମନ୍ତ୍ର ସିଞ୍ଚି ।

