ଆମରି ସଜ ଆସିଛି ରଜ
ଆମରି ସଜ ଆସିଛି ରଜ
ଆସ ଅପାମାନେ ଆସ ଲୋ ମିତ
ଆସ ଲୋ ବଉଳ ଆସ ସଙ୍ଗାତ,
ହଳଦି ବାଟିବା ହୋଇବା ସଜ
କାଲି ହେବ ପରା ପହିଲି ରଜ ।
ଚୁନ ଗୁଆ ପୁଣି ନାଲି ଖଇର
ମଧୁରୀ ଧନିଆଁ ପାନପତର,
ସଜାଡ଼ି ରଖିବା ପାନ ଡଲାରେ
ପାଟି ନାଲି ହେବ ପାନଖିଲରେ ।
ଚାଲଲୋ ଆଣିବା ବାସନା ତେଲ
ବେଣୀ ପାଇଁ ପୁଣି ମଲ୍ଲିର ଫୁଲ ,
ବାସ ଅତରକୁ ନାଲି ଅଳତା
ନାନା ରଙ୍ଗ ଚୁଡ଼ି ସଙ୍ଗେ ସାଇତା ।
ନୂଆ ପୋଷାକକୁ ନୂଆ ପାଉଞ୍ଜି
ରଖିବା ଆସଲୋ ଯତନେ ଖଞ୍ଜି,
କଜଳ ପାନିଆଁ ନାଲି ରିବନ
ଦେଖିକି ହେଲାଣି ମନ ଉଚ୍ଛନ ।
ଜେଜେ ମା ଲଗାଇ ଦେଲାଣି ଚୁଲି
ପିଠା ପୋଡିବାକୁ ଗଲାଣି ଚାଲି ,
ନରମ ନରମ ପିଠାକୁ ଖାଇ
ବୁଲିବାକୁ ଯିବା ଆମେରେ ସାଇ ।
ଡୋଳି ଡାକିଲାଣି ଗଛରେ ଝୁଲି
ଖେଳିବାକୁ ଯିବା ଆମେରେ ବୁଲି,
ବାଗୁଡି ସାଙ୍ଗକୁ ତାସ୍ ଖେଳ
ଜଣାପଡ଼େ ନାହିଁ ସରଇ ବେଳ ।