କୁଳବଧୂ
କୁଳବଧୂ
ଗଲା ସକାଳର କଥା
ଏରୁଣ୍ଡି ବନ୍ଧ ତଳେ
ଏହର୍ନିଶ ଭାବନା ଟେ
ଯେମିତି ଗୁମୁରି ଗୁମୁରି
ନିଜ ଭିତରେ ନିଜକୁ କନ୍ଦାଉ ଥିଲା।
ତା' କଁଅଳ ମନରେ
ଛନ୍ଦି ହୋଇ ଯାଉଥିଲା
ଅସ୍ଫୁଟ ନିଧ୍ୱାନ ଟେ,
ମୁଁ କ'ଣ ପୁଣି ଥରେ
ସେଇ ଜୀବନ ବଞ୍ଚି ପାରିବି ।
ବୟସ ରେ କିଶୋରୀ ର ଚପଳତା
ମନ ରେ ହରିଣୀ ର ଚଞ୍ଚଳତା
ଗୋଡ଼ ରେ ଅଳତା ନ ଲିଭୁଣୁ
ସାଉଁଟି ନେଇଛି ମନ ର ଇଚ୍ଛାକୁ।
ଏଇ ବିବାହ ର ବାସୀ ଦିନ
ନୂଆଁ ଳିଆ ଚାଳରେ
ବାଜି ଥିଲା ତା' ମୁଣ୍ଡ
କାହାର ସମବେଦନା ପରକ୍ଷରେ
ଶୁଣି ଥିଲା ତାଗିଦ୍
କୋହ କୁ ଚାପି
ଯନ୍ତ୍ରଣା ନହେବାର ଭଙ୍ଗୀ କରିଥିଲା
ସେ ଏତେ ବଡ଼ ହୋଇଗଲା
ସିନ୍ଦୁର ର ସର୍ତ୍ତ ତଳେ।
କିଏ ବା ଅଛି ନିଜର ଏଠି
ନିଜର ଜନ୍ମ ମାଟି ବି
ପର ହୋଇ ଯାଇଛି।
ରକ୍ତ ର ସମ୍ପର୍କ ମାନେ
ସେଇ କଚା ମାଟିର ରାସ୍ତାରେ
କିତି କିତି ଖେଳ ଖେଳୁ ଖେଳୁ
ନିଜ ଗାଁ ରେ ଛାଡ଼ି ଆସିଛି
କିଛି ଚିହ୍ନା ଜଣା ଗୋଡ଼ି ପଥର ।
ଗେରସ୍ତ ର ସଂସାରରେ
ଏତେ ଭାର କାହିଁକି?
ମାଆର ସମ୍ଭୋଧନ ରେ
ସ୍ନେହ ଟିଏ ଖୋଜିବାକୁ ପଡୁଛି କାହିଁକି?
ଏ ତମାମ୍ ଜୀବନ ଟା ବୋଧେ ସମର୍ପଣ।
ସୂର୍ଯ୍ୟ ଙ୍କ ରଙ୍ଗ ଆରକ୍ତ ହେବା ପରେ
ମନେ ପଡ଼ିଯାଏ ମାଆର ଡାକ
ଗୋଡ଼ ଛନ୍ଦି ହାତ ଯୋଡ଼ି
ମିଛରେ ଆଖି ମୁଦିବା ର ଦୃଶ୍ୟ ।
ଆଜି କିନ୍ତୁ ଭୂଆଶୁଣି ବେଶରେ
ସଞ୍ଜ ଆଳତୀ ଆଗରେ
ଆଖି ଲୁଚି ଯାଇଛି
ପଲକ ର ତଳେ।
ଦାୟିତ୍ୱ ବୋଧ ର ଜ୍ଞାନ ତଳେ
ଜୀବନ ଶଙ୍କୁଚିତ
ଖୁବ ବଡ଼ ହୋଇ ଯାଇଛି
କୁଳ ବଧୁ ଧର୍ମ।
କୁଟୁମ୍ବ ର ଓଜନ ତଳେ
ନଇଁ ପଡ଼ିଛି ଓଢ଼ଣି
ଯନ୍ତ୍ରଣା କୁ ଛପାଇ
ସେ ହସିଛି ଅନେକ ଥର,
ଅବାରିତ ଲୁହ ମାନେ ବୋହି ଯାଇଛନ୍ତି
ଏହର୍ନିଶ ଶୂନ୍ୟତା ରେ।
ନିର୍ଜୀବ ତକିଆ ଟେ ଦେଖିଛି
ତା' ନିରବ ମନର ଭାବକୁ।
ଘରର ଏନ୍ତୁଡ଼ି ଶାଳରୁ କନ୍ୟାର
ଚପଳତା ସବୁ ଡିଆଁ କୁଦା ମାରି
ସ୍ଥିର ହୋଇ ଯାଇଛି ବଧୂ ବେଶରେ।
ଖସି ପଡୁଥିବା ଓଢଣୀକୁ
ଅନଭ୍ୟସ୍ତ କୁମାରୀ ଟିଏ
ଛାଡ଼ି ଆସିଥିବା ମାଟି ରାସ୍ତାର
ସ୍ୱପ୍ନ ଟିଏ ଦେଖି
ନିଜେ ନିଜେ ହସିଛି।
ଏ ହସ ଟା ତା' ତୃପ୍ତିର
ତା' ଅବ୍ୟକ୍ତ ଭାବନାକୁ
ପଣତ କାନୀରେ ଗଣ୍ଠି କରି
କୁଳବଧୂ ସନ୍ଧ୍ୟାର ଦୀପ ଟିଏ ଜାଳିଛି।
