ମୁଠାଏ ସ୍ମୃତିରୁ ଖିଏ
ମୁଠାଏ ସ୍ମୃତିରୁ ଖିଏ
ହୃଦୟ କୋଣରେ ରହେ ଯେଉଁ ଚିହ୍ନ
ସମୟ ସହିତ ଦେଖେଇ ଦିଏ ,
ଆଖି ଖୋଜିବୁଲେ ବିଗତ ସ୍ମୃତିକୁ
ବିପଦ ସମୟ ଚେତେଇ ଦିଏ ।
ମିଛ ବଳୟରେ ହଜି ଯାଇଥିଲି
ସତକୁ ଏବେ ମୁଁ ହେଉଛି ଖୋଜି ,
କିଏ କହିଦେବ ସେ, ପଥ ସନ୍ଧାନ
ଯେଉଁଠାରେ ଥିବ ସତ ବିରାଜି ।
ବିଗତ ଛାଇରେ ଝାପସା ଦିଶୁଛି
କେତେ ଆପଣାର ଲୋକଙ୍କ ମୁହଁ,
ଆପଣାର ବୋଲି ଭାବୁଥିଲି ଯା'କୁ
କାଟି ଦେଇଛନ୍ତି ସମ୍ପର୍କ ଖିଅ ।
ସୁଖ ବେଳେ ସବୁ ଆଉଜି ଆସନ୍ତି
ଦୁଃଖ ବେଳେ କେଉଁ ବାଟରେ ଗଲେ ,
ବୁଡ଼ିଥିଲି ସତେ ମାୟା ଆଳୟରେ
ଦୁଃଖ ଦେଖାଇଲା ସତକୁ ଭଲେ।
ଲୋକ ଚିହ୍ନିବାରେ ଭୁଲ୍ ରହିଯାଏ
ମିଠା ଶଦ୍ଦେ ହୃଦ ହୁଅଇ ବନ୍ଦୀ,
ଆଖି ଖୋଜିବୁଲେ ବିଗତ ଦିନକୁ
ହୃଦ ଖୋଜିବୁଲେ ମାୟାରେ ଛନ୍ଦି।
କିଏ ଜାଣେ କାଲି କାଳର କବଳେ
ହଜିଯିବ କା'ର ଜନ୍ମ ଜାତକ,
ତଥାପି କାହିଁକି ଟିକେ ସ୍ବାର୍ଥ ପାଇଁ
ମଣିଷ କରୁଛି କେତେ ନାଟକ।
ନିଷ୍କପଟ ମନେ ଅନାବିଳ ସ୍ନେହ
କେବେ ଆଣେନାହିଁ ମନେ ମଳିନ,
ଦେଖାଣିଆ ଭାବ ପ୍ରୀତି ଅନୁରାଗ
ହୃଦେ ଭରିଥାଏ ସଦା ଜ୍ଵଳନ।
ବୁଝିଲନି ମୋର ଶ୍ରଦ୍ଧା ଓ ସମ୍ମାନ
ଭଲ ପାଇବାର ନିଆରା ଭାବ ,
ସ୍ନେହ କରୁଣାର ଶ୍ରଦ୍ଧା ସୁମନରେ
ନଥିଲା ତ ପ୍ରତିଦ୍ବନ୍ଦୀ ସ୍ଵଭାବ ।
ମୁଁ ଯେ ସ୍ଵାଭିମାନୀ ଭାରି ଅଭିମାନୀ
ସ୍ୱାର୍ଥୀ ମଣିଷକୁ ଦୂରୁ ଜୁହାର ,
ଈଶ୍ୱରଙ୍କୁ ମୋର କୋଟି ପ୍ରଣିପାତ
ଚିହ୍ନାଇ ଦିଅନ୍ତି ଛଳ ବେଭାର ।
ଯିଏ ବୁଝେ ନାହିଁ ଆନର ବିପଦ
ଯା'ର ହୃଦେ ନାହିଁ ମମତା, ମୂଲ,
ସେ ସ୍ୱାର୍ଥୀ ମଣିଷ ସେ ,ମିଛ ସମ୍ପର୍କ
ଦୂରେଇ ଯିବା ହିଁ, ସବୁଠୁଁ ଭଲ।
ଛଳନା ରହିତ ଆବିଳତା ପୂର୍ଣ୍ଣ
କଳୁଷିତ ଭାବ ଆଣିଲେ ମନେ ,
ଶତ ଗୁଣ ହୋଇ ଫେରି ଆସିବ ସେ ,
ନିଜ ଜୀବନରେ ଦିନେ ନା' ଦିନେ।
କ୍ଷଣ ଭଙ୍ଗୁର ଏ' ମଣିଷ ଶରୀର
ମନରେ ନରଖି ଛନ୍ଦ କପଟ ,
ସମବେଦନାର ଭାବ ପରୋଷିଲେ
ନିଶ୍ଚେ ତୁଟିଯିବ ସମ୍ପର୍କ ଫାଟ।
ଚିର ଅମର ତ, କେହି ହୋଇ ନାହିଁ
ଆମରି ହାତରେ ସ୍ବର୍ଗ ଓ ନର୍କ ,
ଆନ ଦୁଃଖ ବେଳେ ପଦେ ମିଠା କଥା
ତୁଟାଇ ଦିଅଇ ସବୁ ବିତର୍କ ।
ମଣିଷ ଭାବଇ ଅନେକ ଗୁଡିଏ
ହୁଏ କିନ୍ତୁ ଯାହା , ଥାଏ ହେବାର ,
ଷଷ୍ଠ ଇନ୍ଦ୍ରିୟର କ୍ଷମତା ବଳରେ
ଜାଣିପାରେ ନିଶ୍ଚେ ଆନ ବେଭାର ।
ଇଶ୍ୱର ସବୁଠୁଁ ଯେ,ବଡ଼ ଦର୍ଶକ
ଉପରେ ବସିକି ସବୁ ଦେଖନ୍ତି,
ଭଲ ପାଇଁ ଭଲ ମନ୍ଦ ପାଇଁ ମନ୍ଦ
ଠିକ୍ ସମୟରେ ପରୋଷି ଥା'ନ୍ତି।
ଦୁନିଆରେ କେହି ଏପରି ଜନ୍ମିନି
ତାଙ୍କୁ ଫାଙ୍କି ଦେବ ଚତୁର ପଣେ,
ଏ କଥା ଭାବିବା ନିଜର ମୂର୍ଖାମି
ମଣିଷ କି, ଏ କଥା ଭଲା ନଜାଣେ,,? ।
ମଣିଷ ସ୍ଵଭାବ କେବେ ନବଦଳିବ
ଯିଏ ଯେଉଁ ଜନ୍ମ ଯାତେ ଜନ୍ମିବ,
ସେ, ଗୁଣ ଅବଶ୍ୟ ନିଶ୍ଚେ ପ୍ରକଟିବ
ସ୍ବଭାବ କିଞ୍ଚିତେ କି ବଦଳିବ ।,,?
ତଥାପି ମଣିଷ ନିଜ ଚେଷ୍ଟା ବଳେ
ଭଲ ଗୁଣ ଯଦି ଆପଣି ନିଏ ,
ବିପଦ, ଆପଦେ ସେ, ସୁଲଭ ଗୁଣେ
ଆନ ମଣିଷଠୁଁ ଆଦର ପାଏ ।
ପ୍ରଭୁ ପାଦେ ମୋର ଏତିକି ମିନତି
ସଂସାରରେ ଯେଉଁ ଭାର ଦେଇଛ ,
ସେ ଭାରକୁ ସୁରୁଖୁରୁରେ ତୁଟାଏ
ଯେତେଦିନ ଯାଏଁ ପ୍ରାଣ ଦେଇଛ।
ଆଖି ବୁଝିଦେଲେ ଯିଏ ଯାହା କହୁ
ଏକା ପ୍ରଭୁ ତୁମେ ସତ ଶୁଣିବ ,
ଏ ଘଟରୁ ଆତ୍ମା ଛାଡ଼ି ଚାଲିଗଲେ
ତୁମ ପାଦ ତଳେ ଶରଣ ଦେବ।