ପତିବ୍ରତା ସାବିତ୍ରୀ
ପତିବ୍ରତା ସାବିତ୍ରୀ


ରାଜା ଅଶ୍ବପତି ତପସ୍ୟା କରିଣ
. ପାଇଣ ଥିଲେ ସୁପୁତ୍ରୀ
ସୁନ୍ଦର ଉଜ୍ଜ୍ୱଳ କମନୀୟ କାନ୍ତି
ନାମ ରଖିଲେ ସାବିତ୍ରୀ l
ଉଜ୍ଜ୍ୱଳ ଜ୍ୟୋତିକୁ ଦେଖି ରାଜପୁତ୍ର
ବିଭାପାଇଁ ମନା କଲେ
ପିତାଙ୍କ ଆଦେଶେ ନିଜ ଇଚ୍ଛା ମତେ
ସତ୍ୟବାନ ଙ୍କୁ ବରିଲେ l
ନାରଦଙ୍କ ଠାରୁ ଅଳ୍ପାୟୁଷ ଶୁଣି
ରାଜା ରାଣୀ ମନା କଲେ
ସାବିତ୍ରୀ କହିଲେ ଅସତୀ ହେବି ମୁଁ
ତାହାଙ୍କୁ ବିଭା ନୋହିଲେ l
ବାଧ୍ୟ ହୋଇ ରାଜା ସତ୍ୟବାନ ହସ୍ତେ
କନ୍ୟା ସମର୍ପଣ କଲେ
ସ୍ୱାମୀ, ଶାଶୁ, ଶ୍ୱଶୁରଙ୍କ ସେବା କରି
ସାବିତ୍ରୀ ଆନନ୍ଦ ହେଲେ l
ସୁଖରେ ଜୀବନ କଟାଇଲେ ସ୍ୱାମୀ
ଶାଶୁ ଶ୍ୱଶୁରଙ୍କୁ ପୁଜି
ଆଦର୍ଶ ଗୃହିଣୀ, ପତିବ୍ରତା ବ୍ରତେ
ରାଜ୍ୟ ସୁଖକୁ ବରଜି l
ମୁନିଙ୍କର ବାକ୍ୟ ମନେ ରଖି ସ୍ୱାମୀ
ସାଙ୍ଗରେ ବନକୁ ଗଲେ
କାଷ୍ଠ ହାଣୁଥିଲେ ସତ୍ୟବାନ ମୁଣ୍ଡ
ଘୁରିଲା ଫେରି ଆସିଲେ l
ସାବିତ୍ରୀ କହିଲେ ମୋର କୋଳେ ସ୍ୱାମୀ
ବିଶ୍ରାମ ଟିକିଏ କର
ଦେହ ଭଲ ହେଲେ ଗୃହକୁ ଚଳିବା
ମନରେ ଚିନ୍ତା ନ କର l
ସାବିତ୍ରୀଙ୍କ କୋଳେ ସତ୍ୟବାନ ଚୀର
ନିଦ୍ରାରେ ଯେ ଗଲେ ଶୋଇ
କ୍ରନ୍ଦନ କରିଲେ ସତୀ ସାବିତ୍ରୀ ଯେ
ବୁଦ୍ଧି ଦେଖା ଗଲା ନାହିଁ l
ଯମଦୂତ ଆସି ସାବିତ୍ରୀଙ୍କ ତେଜେ
ଫେରିଲେ ହୋଇ ହତାସ
ଜନ୍ତୁପତି ଆସି ପହଞ୍ଚିଲେ ପାଶେ
ନେଇକରି କାଳ ପାଶ l
ସତ୍ୟବାନ ପ୍ରାଣ ନେଲାବେଳେ ପଛେ
ଧାଇଁଲେ ସାବିତ୍ରୀ ସତୀ
ସ୍ୱାମୀ ସଙ୍ଗେ ମୋତେ ନିଅ ଯମରାଜ
କହିଲେ ଆତୁରେ ଅତି l
ଯମରାଜ ଙ୍କର ଦୟା ଜାତ ହେଲା
କହିଲେ ମାଗିନେ ବର
ସତ୍ୟବାନ ପ୍ରାଣ ଛଡାଯାହା ମାଗ
ଦେବି ଯେ ମୁହିଁ ସତ୍ୱର l
ପିତୃ କୁଳ ରକ୍ଷା, ଶ୍ୱଶୁରଙ୍କ ଚକ୍ଷୁ
ଦାନ ସହିତରେ ରାଜ୍ୟ
ଶତପୁତ୍ର ବର ମୋତେ ଦୟାକରି
ଦିଅ ତୁମେ ଯମରାଜ l
ତଥାସ୍ତୁ ବୋଲିଣ, କହିକରି ଯମ
ଯାଆନ୍ତେ ନିଜ ପୁରକୁ
ସାବିତ୍ରୀ ଯମ ଙ୍କ ପାଦତଳେ ପଡ଼ି
ପ୍ରଣାମ କରି ତାହାଙ୍କୁ l
କହିଲେ ସାବିତ୍ରୀ ସ୍ୱାମୀଙ୍କୁ ମୋହର
ନେଇଯିବ ଯେବେ ପ୍ରଭୁ
ବିନା ସ୍ୱାମୀରେ ମୁଁ ଶତ ପୁତ୍ର ଜନ୍ମ
କରିବି କିପରି ଗର୍ଭୁ l
ମହତ ଙ୍କ ବାକ୍ୟ ଅନ୍ୟଥା ହୋଇବ
କୁହନ୍ତୁ ହେ ମହାମତି
ହସି ଯମ ରାଜ କହିଲେ ତାହାଙ୍କୁ
ଧନ୍ୟ ଧନ୍ୟ ତୁ ସାବିତ୍ରୀ l
ମହାସତୀ ପତିବ୍ରତା ଅଟୁ ତୁହି
ଭକ୍ତିରେ ଜିଣିଲୁ ମୋତେ
ଅକ୍ଷୟ କୀର୍ତ୍ତି ରଖିଲୁ ମହୀରେ
ବିଦିତ ହେଲୁ ଜଗତେ l
ଧନ୍ୟ ପତିବ୍ରତା, ସତୀ ଶିରୋମଣି
ସ୍ୱାମୀର ଜୀବନ ରଖି
ସତୀତ୍ୱ ର ବଳେ ଯମକୁ ହରାଇ
ଇତିହାସ ଗଲୁ ରଖି l
ଏହି ଜ୍ୟେଷ୍ଠ ମାସ ଅମାବାସ୍ୟା ତୋର
ନାମରେ ହୋଇବ ଖ୍ୟାତ
ସଧବା ନାରୀଏ ଏ ବ୍ରତ କରିବେ
ନାମ ଯେ ସାବିତ୍ରୀ ବ୍ରତ l
ଏହା କହି ଯମ ନିଜ ଭୁବନକୁ
ଆନନ୍ଦେ ବାହୁଡ଼ି ଗଲେ
ମହାସତୀ ପତିବ୍ରତା ସାବିତ୍ରୀ ଯେ
ଅମର ହୋଇ ରହିଲେ l