ଧରିତ୍ରୀର ପ୍ରହେଳୀ
ଧରିତ୍ରୀର ପ୍ରହେଳୀ
ଦିବାକର ଧୀରେ ଅସ୍ତ ହୋଇଯା'ନ୍ତି
ସନ୍ଧ୍ୟା ହୁଏ ଉପନୀତ,
ଦିବସ ରାତ୍ରିର ମିଳନ ବେଳାରେ
ଧରା ହୁଏ ମୁଖରିତ।
ପକ୍ଷୀ କାକଳିରେ କାନନ କାନ୍ତିରେ
ଲାଗି ଯାଇଥାଏ ଭିଡ଼ ,
କିଚିରି ମିଚିରି ଶବଦ ଭିତରେ
ବାହୁଡ଼ନ୍ତି ନିଜ ନିଡ଼ ।
ଗୋଧୂଳି ବେଳାରେ ଗାଈ ଗୋଠ ନେଇ
ବାହୁଡେ ଗୋପାଳ ପିଲା ,
ଧୂଳି ଖେଳ ସାରି ବାହୁଡ଼ନ୍ତି ଘର
ଗ୍ରାମର ଯେତେକ ପିଲା।
ଗ୍ରାମ ବଧୂ ମାନେ ତୁଳସୀ ମୂଳରେ
ଜାଳିଥାନ୍ତି ସନ୍ଧ୍ୟାବତୀ,
ଦେବା ଦେବୀ ପଦେ ଭକ୍ତିରେ ପ୍ରଣମି
ମଥା ନୁଏଁ ଲଜ୍ଜ୍ୟାବତୀ।
ଶତ ଶତ ଦୀପ ସନ୍ଧ୍ୟା ଆଗମନେ
ଘରେ ଘରେ ଉଠେ ଜଳି ,
ମନ୍ଦିର ପ୍ରାଙ୍ଗଣ ଘଣ୍ଟ ଘଣ୍ଟା ଶବ୍ଦେ
ଭକ୍ତିରେ ପଡ଼େ ଉଛୁଳି।
ଦୂର ଆକାଶରେ ଆସେ ବିଭାବରୀ
ବର୍ଣ୍ଣବିଭା ଅବଶେଷେ ,
ଜଳ, ସ୍ଥଳ, ନଭ ସାଗରେ , କାନନେ
ଆଚ୍ଛାଦିତ ଚଉପାଶେ।
ପଣତ ବିଛାଇ ଜହ୍ନ, ତାରା ନେଇ
ଆସେ ଯେବେ ରାତ୍ରିରାଣୀ,
କର୍ମରତ ଜୀବ ବିଶ୍ରାମ ଲୋଡ଼ନ୍ତି
ଆଶ୍ବସ୍ତ ହୁଏ ଧରଣୀ ।
ଗହଳ ଚହଳ ଶାନ୍ତ ପଡ଼ିଯାଏ
ମାଡ଼ି ଆସେ ଯେବେ ରାତ୍ରି ,
ନିସ୍ତବ୍ଧ ନିଶାର୍ଦ୍ଧେ କ୍ଳାନ୍ତ ଶାନ୍ତ ଅଙ୍ଗେ
ଘୁମାଇ ପଡ଼େ ଧରିତ୍ରୀ ।
ନିରବତା ଭାଙ୍ଗି ପୁଣି ଏ ଧରାକୁ
ଆସଇ ନୂଆ ସକାଳ ,
ନିତି ଖରା ଛାଇ ଖେଳ ଖେଳି ଧରା
କରାଏ ଚଳ ଚଞ୍ଚଳ ।
ଧରିତ୍ରୀର ଏହି ପ୍ରହେଳୀ ବୁଝିବା
ଜୀବନ ସନ୍ଧ୍ୟାରେ ବସି ,
ଲୁଚକାଳି ଖେଳେ ଜୀବର ଜୀବନ
ନୂଆ ରୂପେ ପରକାଶି।