ମୁଁ କିନ୍ନର
ମୁଁ କିନ୍ନର
ଦୋଷ ତ ନଥାଇ ବି ମୋର
ଦୋଷୀ ମୁଁ ଯେ,ସମସ୍ତଙ୍କର ,
ଦୀର୍ଘଶ୍ୱାସ ଭରେ ହୃଦର
ତୃଷିତ ଜନ୍ମ ଏ ଆତ୍ମାର।
ମଣିଷ ଟିଏ ମୁଁ ମାତର
କେହି କରେନି ଖାତର
ମୁଁ କିନ୍ନର ମୁଁ କିନ୍ନର।
ଅଭିଶପ୍ତ ଜନ୍ମ ମୋହର
ନା ମୁଁ ନାରୀ ନା ମୁଁ ନର
ମୁଁ କିନ୍ନର ମୁଁ କିନ୍ନର ।
ପରିଣୀତା ନୁହେଁ କାହାର
ତଥାପି ନାଏ ମୁଁ ସିନ୍ଦୂର ,
ଜାଣିଛି ମର୍ଯ୍ୟାଦା ତାହାର
ନର ଦେହ ଆତ୍ମା ନାରୀର ।
କେହି ନଥାନ୍ତି ଆପଣାର
ନା ମୁଁ ବାପାର ନା ମାଆର
ମୁଁ କିନ୍ନର ମୁଁ କିନ୍ନର।
ଘର ଥାଇ ବି' ବହିଷ୍କାର
ସଦା ହୁଏ ମୋ' ତିରସ୍କାର
ମୁଁ କିନ୍ନର ମୁଁ କିନ୍ନର ।
ନଥାଏ ମୋର ପରିବାର
ପାଏନି କାହା ଆଦର ,
ଶୁଣି ଶୁଣି ଲୋକଙ୍କ ସ୍ଵର
ହିଞ୍ଜଡ଼ା, ଛକ୍କା ନାଁ ମୋର ।
ବିଧାତା ଦେଇଛି ଶରୀର
ଅଧା ନର ଅଧା ନାରୀର
ମୁଁ କିନ୍ନର ମୁଁ କିନ୍ନର।
ଜନ୍ମି ମୁଁ ଅର୍ଦ୍ଧନାରୀଶ୍ଵର
ଆଶିଷ ଟେକେ ଏ କର
ମୁଁ କିନ୍ନରମୁଁ କିନ୍ନର ।
ପୋଷିବା ପାଇଁ ପେଟ ମୋର
ନିତି ସାଜ ତ ଦରକାର ,
ତାଳି ମୋ' ସାହା ଭରସାର
କାର୍ଯ୍ୟ ପାଇଁ ବୁଲେ ଛକର।
ମଲେ ନାହିଁ କେ' କାନ୍ଦିବାର
ବଞ୍ଚିଲେ ନାହିଁ ଖୁସି କା'ର
ମୁଁ କିନ୍ନର ମୁଁ କିନ୍ନର ।
ମରିଲେ ଚପଲ ପାହର
ଦେଇକି କୁହନ୍ତି କିନ୍ନର
ମୁକତି ପାଇଲୁ ଏଥର।
ଆଉ ଜନ୍ମିବୁନି କିନ୍ନର
ଯାଃ ଶୋଇଯା କିନ୍ନର
ଯାଃ ଶୋଇଯା କିନ୍ନର।