STORYMIRROR

Pranati Panda

Inspirational

4  

Pranati Panda

Inspirational

ଏତିକି ଅଳି ମାଆ ମୋର

ଏତିକି ଅଳି ମାଆ ମୋର

2 mins
23


ମାୟା ଆଳୟରେ ବନ୍ଧା ପଡ଼ିଛିରେ

ରକ୍ତ ମାଂସର ଏ ଶରୀର ,

ମା' ଗୋ ମୁକୁଳାଇ ଏ ଶକ୍ତ ଦଉଡ଼ି

ଖୋଲିଦିଅ ଆତ୍ମା ମୋର ।


କରିଛି ଭରସା ତୋ' ଉପରେ ଆଶା

ରହିଛି ରହିବ ମୋର,

ବରଷୁ ବରଷ ବିତି ଗଲାଣି ତ

ପୂଜି ତୋର ଶ୍ରୀପୟର ।


ବିଶ୍ୱାସ ରହିଛି ବନ୍ଧା ମୁଁ ପଡ଼ିଛି 

ତୋର ଶ୍ରୀମୁଖକୁ ଚାହିଁ ,

ସବୁ ମୁହୂର୍ତ୍ତରେ ସବୁ ସମୟରେ

ତୋ ଛଡ଼ା ଫୁଲକୁ ନେଇ।


ଆସୁ ପଛେ ଯେତେ ଝଡ଼ ବା ' ବତାସ

ଫୁଲ ସାଥେ ଥିଲେ ମୋର ,

ଟାଳି ଯାଏ ସବୁ ବିପଦ ଆପଦୁ

ଶକ୍ତି ସେ ଛଡ଼ା ଫୁଲର।


ମହିମା ବର୍ଣ୍ଣନା କି କରିବି ଗୋ ମା

ଏ ଜୀବନ ତୋର ଦାନ ,

ହେତୁ ହେଲା ଦିନୁ ସମର୍ପିଛି ମନୁ

ତୁହି ମୋ ପାଇଁ ମହାନ।


ତୋର ଶ୍ରୀ ମୁଖକୁ ଥରେ ଦେଖିବାକୁ

ବାର ବାର ଖୋଜେ ମନ ,

ତୋ' ପଦ ପଙ୍କଜେ ଏ ଆଖି ମୋ ଖୋଜେ

ପାଇବାକୁ ଟିକେ ସ୍ଥାନ।


ସବୁ ଦୁଃଖ ମୋର ନିମିଷେ ମାତର

ଉଭାଇ ଯାଏ କୁଆଡ଼େ,

ଆତ୍ମା ପକ୍ଷୀ ମୋର ହୁଅଇ ଆତୁର 

ଖାଲି ଦୁଇ ହାତ ଯୋଡ଼େ ।


ସେତେବେଳେ ମୋର ହୃଦେ ବାରମ୍ବାର

କିଏସେ ଭିତରୁ କହେ,

ଧରି ସେ ପୟର ଛାଡ଼ିଦେ ସଂସାର 

ମୁକୁଳି ଯା , ମାୟା ମୋହେ।


ଅନ୍ଧାର ଭିତରେ ଆଲୋକ ଝରଇ 

ବେହୋସ ଲାଗେ ଶରୀର,

ସେ ଆଲୋକ ପଥେ ମା ଗୋ ତୁମ ସାଥେ

ଚାଲିଯାଏ କେତେ ଦୂର ।


ରାତି ପହିଯାଏ ନିଦ ହଜିଯାଏ

ବହିଯାଏ ଅଶ୍ରୁଧାର ,

ପାହାନ୍ତି ପ୍ରହରେ ହାତ ଛାଡ଼ି ଦେଇ

ଚାଲିଯାଅ ମା ଗୋ ଦୂର।


ପୁଣି ଏ ଜଞ୍ଜାଳେ ନିଜକୁ ପଖାଳେ

କର୍ତ୍ତବ୍ୟର ବୋଝ ନେଇ ,

ଉଦାସୀ ଏ ଆଖି ମୋର ମନ ପକ୍ଷୀ

ଖୋଜିବୁଲେ ତୁମ ଛାଇ।


ଯେତେ ଦିନ ଅଛି ସ୍ବପ୍ନ ମୁଁ ଦେଖୁଛି

ମାଆ ଅଛି ପରା ମୋର ,

ତୋ ପରି ମା' ପାଇ ଏ ଜନ୍ମ ରେ ମୁହିଁ

ମରଣକୁ ନାହିଁ ଡ଼ର।


ହୁଅନ୍ତାନି ମାତ ଦିଅନ୍ତୁ ସଙ୍କେତ

ସବୁ ଛାଡ଼ି ଛୁଡ଼ି ଦେଇ,

କେଉଁ ଏକ ରାତି ଯାଆନ୍ତା କି ବିତି 

ମତେ ନଦେଖନ୍ତେ କେହି।


ତୁ ମତେ ଦେଖନ୍ତୁ ମୁଁ ତତେ ଦେଖନ୍ତି

ଶୂନ୍ୟ ଆଳୟରେ ସତେ!,

ତୋର ଆଶୀର୍ବାଦେ ମୁକ୍ତି ମାର୍ଗ ପଥେ

ନେଇଯା'ନ୍ତୁ ତୁ କି ମତେ ?।


ଶୂନ୍ୟ ପଡ଼ିଥାନ୍ତା ଜୀବନ ନଥା'ନ୍ତା

ଏ ପ୍ରାଣ ପିଣ୍ଡରେ ମୋର ,

ଆପଣାର ଯେତେ କହୁଥାନ୍ତେ ସତେ

ମୃତ୍ୟୁ ଲଭିଛି ଶରୀର।


ଜନ୍ମ ଜନ୍ମ ପାଇଁ ଆଉ ଆଶା ନାହିଁ

ଜନ୍ମିବାକୁ ବାରମ୍ବାର ,

ଶୂନ୍ୟ ବ୍ରହ୍ମାଣ୍ଡରେ ଶୂନ୍ୟ ଆଳୟରେ 

ମୁକ୍ତି ପାଉ ଏ ଶରୀର ।


ଏତିକି ଅଳି ମା ମୋର

ମାଆ ଗୋ କୋଟି ଜୁହାର ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational