ପୁଣ୍ୟ ପଥର ଧାରେ
ପୁଣ୍ୟ ପଥର ଧାରେ
ସଂସାରେ ଦୁର୍ଲଭ ମଣିଷ ଜନମ
ଦେଲ ଅଦୃଶ୍ୟ ଈଶ୍ୱର ,
ଜନମ ଦିନରୁ କୃପା ନେତ୍ର ତଳେ
ରଖିଛ ଜୀବନ ମୋର ।
ପ୍ରତି ମୁହୂର୍ତ୍ତରେ ପ୍ରତିଟି କ୍ଷେତ୍ରରେ
ତୁମ କୃପା ପାଇଅଛି ,
ସେଥିପାଇଁ ପ୍ରଭୁ ତୁମ କରୁଣାରେ
ଏତେ ଦିନ ମୁଁ ,ବଞ୍ଚିଛି।
କେଉଁ ଜନମର କେଉଁ ପୁଣ୍ୟ ପାଇଁ
ଆଶୀର୍ବାଦ ଝରାଇଛ ,
ଯେଉଁଠି ତୁମର ଆବିର୍ଭାବ ସ୍ଥାନ
ସେ,ସ୍ଥାନକୁ ନେଉଅଛ।
ଯେତେ ହେଉ ପଥ ବିପଦ ସଙ୍କୁଳ
ତୁମ ଡୋରି ଲଗାଇଛ,
ଆଶିଷ ଝରାଇ ମୋର ଏ,ଜୀବନେ
ତୁମ ପାଶେ ଟାଣୁଅଛ ।
ମୁଁ ଯେ, ମୁଢ଼ମତି ନାହିଁ ଜ୍ଞାନ ଭକ୍ତି
କର୍ମରେ ସଦା ମୋ, ଧ୍ୟାନ ,
ପୂଜା ପାଠ ଶ୍ଳୋକ ଉଚ୍ଚାରଣେ ମୁକ
ଦର୍ଶନେ ତୃପ୍ତ ଜୀବନ।
ମାତା, ପିତା ଦୁଇ ସଂସାରରେ ରହି
କରୁଅଛ ଲୀଳା ଖେଳା,
ତୁମର ସେ ମାୟା ତୁମ କଳ୍ପ କାୟା
ବୁଝିବ କି ? ଏ, ଅବଳା।
ଅପୂର୍ବ ସୁନ୍ଦର ଦିବ୍ୟ ଧରୋହର
ପୁଣ୍ୟ ହିମାଳୟ ଧାମ ,
ମା ଗଙ୍ଗୋତ୍ରୀ , ଯମୁନୋତ୍ରୀ , ବଦ୍ରିନାଥ,
କେଦାରନାଥ ସଙ୍ଗମ।
ନଦୀ ସଙ୍ଗମର ପୁଣ୍ୟ ପ୍ରୟାଗର
ଅଟେ ଏହି ଦେବଭୂମି ,
ଉତ୍ତରାଖଣ୍ଡ ର କି' ଶୋଭା ବର୍ଣ୍ଣିବି
ପ୍ରବିତ୍ର ମାଟିକୁ ନମି ।
ଉତ୍ତରାଖଣ୍ଡର ଦିବ୍ୟ ଧରୋହର
ବାଳ ଅରୁଣ ଉଜ୍ବଳେ ,
ପହିଲି ଶୀତର ବରଫପାତରେ
ରୂପେଲି ଚାଦର ଖେଳେ।
ସନ୍ଧ୍ୟା ସମୟରେ ପାହାଡ଼ ଶିଖରେ
ବରଫ ସୁନେଲି ଦିଶେ ,
ବରଫ ଚାଦର ଘୋଡେ଼ଇ ହୋଇକି
ଦିବ୍ୟ ଧରୋହର ହସେ ।
ଡୋରି ଲଗାଇଲ ପାଖକୁ ଟାଣିଲ
ପୁଣ୍ୟ ପଥର ଧାରେ ,
ଦୁର୍ଗମ ପଥକୁ ସୁଗମ କରିବ
ତବ କୃପା ଆଶିଷରେ ।
ନେତ୍ର ପୁରାଇ ମୁଁ ,ଦେଖିବି ସତରେ
ତୁମ ଆବିର୍ଭାବ ସ୍ଥାନ,
କେଡ଼େ ସୌଭାଗ୍ୟ ମୋ ,ସତରେ ପ୍ରଭୁ ହେ!
ଧନ୍ୟ ହେଲା ଏ' ଜୀବନ ।
ଜଣା ଅଜଣାରେ ଦୋଷା ଦୋଷ ଥିଲେ
କ୍ଷମା କରିବ ଇଶ୍ଵର ,
ତୁମ ପାଦ ପଦ୍ମେ କୋଟି ଦଣ୍ଡବତ
ଋଣି ମୁଁ , ଜନ୍ମ ଜନ୍ମର ।