ଜଳୁଛି ସୂର୍ଯ୍ଯ
ଜଳୁଛି ସୂର୍ଯ୍ଯ
ଝାଞ୍ଜି ଗୁଳୁଗୁଳି ଅସହ୍ଯ ଗ୍ରୀଷମ
ବୃଦ୍ଧି ତାପମାନ ସୂର୍ଯ୍ଯ ଜଳୁଛି,
କୂପ ପୁଷ୍କରଣୀ ଶୁଖିଲା ପଡିଛି
ଗମଗମ ହୋଇ ଝାଳ ବହୁଛି ।
ଦେହସାରା ଫଳି ନାଲିଆ ଘିମିରି
ରଗରଗ ପିଠି କୁଣ୍ଡି ହେଉଛି,
ନିଦ ଆସୁନାହିଁ ଆଖିକୁ ରାତିରେ
ତଣ୍ଟି ଖାଲି ଶୁଖି ଅଠା ମାରୁଛି ।
ଚରୁନାହିଁ ଘାସ ଛାଗ ଧେନୁ ବତ୍ସା
ଗଛତଳ ଥଣ୍ଡା ଛାଇ ଖୋଜୁଛି,
ଜିଭକୁ ଦେଖାଇ ପାଟି ମେଲାକରି
ଧଇଁ ସଇଁ ହୋଇ ଶୋଇ ରହୁଛି ।
ଗାଆଁ ନଈକୂଳ ବରଗଛ ମୂଳ
ଲାଗେ ସୁଶୀତଳ ଟିକେ ଆରାମ,
ପଶୁପକ୍ଷୀ ସହ ବାଟୋଇ ମଣିଷ
ଛାୟା ପାଇ ଟିକେ କରେ ବିଶ୍ରାମ ।
ଛେଳି ରଖୁଆଳ ଗାଈ ଜଗୁଆଳ
ଘରୁ ଆଣିଥିବା ଖାଇବା ଚିଜ,
ଝାଳ ମାରି ଦଣ୍ଡେ ଭୋଜନ କରନ୍ତି
ଚାଲେ ଗପସପ ମଜା ମଉଜ ।
ଧନୀକ କାଟନ୍ତି ବିଳାସେ ଜୀବନ
ନିରୋଧି ସ୍ବଗୃହେ ଶୀତ ଓ ତାପ,
ଗାଡି ମଟରରେ ଗମନାଗମନ
ଗ୍ରୀଷ୍ମ ପ୍ରବାହକୁ ନାହିଁ ଭ୍ରୁକ୍ଷେପ ।
ଅବିମୃଶ୍ଯ ହୋଇ କାଟୁଛି ମଣିଷ
ସଫା ହୋଇଯାଏ ଗଛ ଜଙ୍ଗଲ,
ଡାକେ ହାତଠାରି ବିପଦ ମଣିଷ
ରଚୁଛି ପ୍ରକୃତି ତାଣ୍ଡବ ଘୋର ।
