STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

କାହା ବଗିଚାର କେଉଁ ଗୋଲାପ ମୁଁ

କାହା ବଗିଚାର କେଉଁ ଗୋଲାପ ମୁଁ

1 min
300


କୋକାକୋଲା ଥଣ୍ଡା କାଚ ବୋତଲର

    ଜୀବନ କାହାଣୀ ମୋର,

ଲକ୍ଷେଓଠ ମୋତେ ଶୋଷିପିଇଲେବି

    ସମସ୍ତେ ମୋ ଆପଣାର।


ଦଶଟି ଟଙ୍କାର ଇଜ୍ଜତ ମୋହର

   କୋଠୀ ମୋର ଜାଲି ଟ୍ରେ,

ନାଲି ନେଳି ରଙ୍ଗ ମିଠାଖଟା‌ ସ୍ଵାଦ

    ପିଇ‌ ବାବୁ ମଜା ନେ‌।


ରସଶୋଷିଦେଇ ମୋତେ ଫିଙ୍ଗିଦେଇ

    ନିଜ ବାଟେ ଚାଲି ଯା', 

ତୁ ଚାଲିଗଲେ ମୋ ବାଟକୁ ଚାହିଁ

    ମାଲିକ ଡାକୁଛି ଆ'।


ପୁଣି ନୂଆହୋଇ ହେବି ମୁଁ ସଜେଇ

    ଖୋସିବି‌ ରଜନୀଗନ୍ଧା,

ପ୍ରେମମୋରକେବେ ପୁରାନୁହେଁ ଆଜ୍ଞା

    ସବୁଦିନେ କିନ୍ତୁ ଅଧା।


ହଜାର ମାର୍କେଟ ବୁଲି ମୁଁ ଆସିଛି

    ଲକ୍ଷେ ଦୋକାନୀ ମୋ ଚିହ୍ନା,

କୋଟିଏ ଗରାଖ ଦେହ ତାତି ମାରେ

    କେ ମୋତେ କରେନା ମନା।


ହଟ‌ଇ ଉଷ୍ଣତା‌ ଭରେ ଶୀତଳତା 

     ମୋର ଥଣ୍ଡା ପରଶରେ‌,

ଛାତି ତଳ ବ୍ୟଥା ବୁକୁ ଅନୁଚିନ୍ତା

     ପ୍ରାପ୍ତ ଆତ୍ମ ତୃପତିରେ‌।


ମୁଁ ଠିକ୍ ବୁଝିଛି କା' ହାତ ଛୁଆଁକୁ

    କା' ଅନ୍ତର ଅନ୍ତସ୍ଵର,

ମୁଁ ଠିକ୍ ଗଣିଛି କା' ଛାତି ସ୍ପନ୍ଦନ

    ଉଠେ ପଡେ କେତେଥର‌।  


କା' ପାଟିର ବାସ କେତେ ସୁଗନ୍ଧିତ‌

    ମୋତେ କିନ୍ତୁ ଠିକ୍ ଜଣା,

ପ୍ରତି ଚୁମ୍ବନକୁ ମାନି ନିଏ ମୁହିଁ

    ମୋହର ପ୍ରେମ ପାଉଣା।


ମୋତେ ବା କାହିଁକି କେ ଭଲପାଇବ‌

    କ୍ଷଣିକର ସୁଖ ମୁହିଁ,

କାହା ବରଦାନେ‌ ଜନମ‌ ହୋଇଛି

    ସେ କଥା ମୁଁ ଜାଣେ ନାହିଁ।


ଜାଣିଛି ଏତିକି ସ୍ଵାର୍ଥଟି ସବୁଠିଁ

    ବିନା ଲକ୍ଷ୍ୟ ଉଦ୍ଦେଶ୍ୟରେ,

କେହି କାହାରିକୁ‌ ମିଠା କଥାଟିଏ

    କହିନାହିଁ କେତେବେଳେ।


ଏକାକାର‌ କରି ଦେଇ ରାତିଦିନ

    ତୁମକୁ ଦେଇଛି ‌ସୁଖ,

କିଏ ଅବା କେଉଁ ଦିନ ବୁଝିଛ‌କି‌

    ମୋ କର୍ମ ପଛର‌ ଦୁଃଖ ।


କଳା ଭ‌ଅଁରର ଗୁଣୁଗୁଣୁ ସୁରେ

    ଫୁଲ ଫୁଟି ମହକିଲା‌,

କେତେ ଫୁଲ ଏଠି ଅକାଳେ‌ ଝଡିଲା‌

    କିଏ ହିସାବ ରଖିଲା ।


କାହା ବଗିଚାର ମୁଁ କେଉଁ ଗୋଲାପ

    ତୁମେ କେଉଁ ମଧୁ ଚୋର,

ମୁଁ କେଉଁ ଦରିଆ ସୁନ୍ଦରୀଟି ହେଲେ

    ତୁମେ କେଉଁ ସୌଦାଗର।


ତୁମେ ନୁହଁ ମୋର ସପନ ବଣିକ

    କି ଅବା ସ୍ଵପ୍ନ ସାଗର,

ମୁଁ କିନ୍ତୁ ମୁକ୍ତା‌ ବିହୀନ ଶାମୁକା

    ବେଳାଭୂମି ମୋର ଘର।


ପୂର୍ଣ୍ଣିମା ରାତିରେ ଦେଖେ ମଲାଜହ୍ନ

    ଦୂର ଆକାଶକୁ ଚାହିଁ,

ଆଖି ମୋର ଅଛି ସପନ ବି ଅଛି

    ରାତି କିନ୍ତୁ ପାଉନାହିଁ।


ଥଣ୍ଡା ବୋତଲରୁ ଥଣ୍ଡା ସରିଯାଉ‌

    ଶୋଷ ତୋର ମରିଯାଉ,

କିନ୍ତୁ ଏ ଦୁନିଆଁ ତା' ମିଠା ନାଆଁରେ 

    ଗଣିକା‌ ଆଖ୍ଯା ନ ଦେଉ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy