STORYMIRROR

Smruti Ranjan Mohanty

Tragedy

4  

Smruti Ranjan Mohanty

Tragedy

ବୋଉ-ତିନ

ବୋଉ-ତିନ

1 min
251


ମୁଁ ଖୋଜୁଛି ଜିଇଁଥିବା ଜୀବନକୁ 

ସ୍ମୃତିର ସକାଳ, ମଧ୍ୟାହ୍ନ, ଆଉ ସାୟାହ୍ନରେ l 

ଟୋପା ଟୋପା ହୋଇ ଝରୁଛି 

ବାତ୍ସଲ୍ୟ ମମତାର ଫଲଗୁଧାରା ,

କେତେବେଳେ ପିଲାଦିନ, ମା କୋଳ 

ରିମଝିମ ବର୍ଷା, କାଗଜ ଡ଼ଙ୍ଗା 

ତୋ ଲମ୍ବା ପଣତ ,

ବର୍ଷା ହେଲେ ମୋତେ ସ୍କୁଲରୁ ଆଣିବା ପାଇଁ ତୁ ପଠେଇଥିବା ଛତା।

କେତେବେଳେ ଇନ୍ଦ୍ରଧନୁର କିଛି ରଙ୍ଗ 

ପୁଣି ନିଷ୍ଠୁର ବାସ୍ତବତା 

ତୋ ଶୁଖିଲା ମୁଁହ, ଅଭିମାନର ଛିଟା 

ଆଉ ମୋର ଶେଷହୀନ ଅବଶୋଷ l


ପୁରୁଣା ଶାଢୀରେ 

ତୋ ଦେହର ବାସ୍ନା, ଫଟୋ ଭିତରେ ହସୁଥିବା ତୁ 

ମୋ ଚାରିପଟେ ମମତାର ଉଷ୍ଣ ପ୍ରସ୍ରବଣ 

ଥର ଥର କଡ଼ ଲେଉଟଉଥିବା ଅତୀତ 

ମୋ ଖାଇବା, ପିନ୍ଧିବା, ଶୋଇବା, ପାଠପଢିବା 

ଭିତରେ ବିତିଥିବା ତୋ ଜୀବନ 

ପ୍ରତି ବର୍ଷା, ଖରା, ଶୀତ, ବତାସରେ ମୋତେ 

ଖୋଜୁଥିବା ତୋ ପଲକ ବିହୀନ ଆଖି 

ସବୁ ଦୁର୍ଦ୍ଦିନରୁ ମୋତେ ଘଣ୍ଟ ଘୋଡାଇ ରଖିଥିବା ତୁ, ମୋ ମା',

ସବୁ ଦୁଃଖକୁ ଆବୋରିନେଇ ମୋ ପାଇଁ ସୁଖ ସାଉଣ୍ଟୁଥିବା, ମୋ ମାଆ।


ଅଗଣାରେ ତୋ ସ୍ମୃତିର ପସରା 

ତାରାଭରା ରାତି 

ଶୁଭ ଶଙ୍ଖ, ଘଣ୍ଟ ଆଉ ମଙ୍ଗଳ ଆଳତି 

ତୋ ଜୟ ରାଧେ ରାଧେ ଭିତରେ ବିତିଥିବା ଆମ ଜୀବନ 

ଚାରିଆଡେ ସ୍ମୃତିର ରୋଷଣି

କୋଉଠି ବାପା ତ କୋଉଠି ତୁ 

କୋଉଠି ଜେଜେ କୋଉଠି ମା 

ଚାରିପଟେ ଆମେ କିଛି ଖଦ୍ୟୋତ ।

ଅନ୍ଧାରରେ ଅସ୍ତିତ୍ୱ ହରାଉଥିବା ମିଞ୍ଜି ମିଞ୍ଜି ଆଲୁଅ 


ଜହ୍ନରୁ ଝରୁଛି ପ୍ରୀତି ପୀୟୁଷ 

କିଛି କଳଙ୍କ, ଶେଷହୀନ ଅଵସୋସ,

ପଢିବା, ବଢିବା, ଗଢିଵା , ଛିଡିବା

ମୋ ଅସମ୍ପୂର୍ଣ୍ଣ ଅତୀତ ଆଉ 

ଭବିଷ୍ୟତ ବିହୀନ ଖଣ୍ଡିତ ବର୍ତ୍ତମାନ।

ନିଁଆର ବର୍ଷାରେ ଭିଜୁଥିବା ମୁଁ ଆଉ ମୋର ଚାରିପାଖ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy