ଛୁଇଁବି ଅଭୟ ପାଦ
ଛୁଇଁବି ଅଭୟ ପାଦ
ଆସୁଅଛି ବାଆ ବତାସର ଝଡି
ବେଳ ହେଲା ରତରତ
କୂଳରେ ଲଗାଅ ନାଆ ହେ ନାଉରୀ
ନକର ଜମା ମଅଠ ।
ଏକମୁହାଁ ହୋଇ ଦୂର ପରବାସୁ
ବସିବା ଜାଗାରୁ ଉଠି
ବାରତା ପାଇବା ମାତ୍ରକେ ଆସିଛି
ଭୁଲି କଷ୍ଟ ଦିନରାତି ।
ଲାଗୁନାହିଁ କିଛି ମନକୁ ମୋ ଭଲ
ହେଉ ନାହିଁ ଭୋକଶୋଷ
କତରାଲଗା ମୋ ମାଆ ବୁଢୀ ଘରେ
ଝରାଏ ଲହୁ ଲୋତକ ।
ନୟନ ପିତୁଳା ଏକୋଇଶ ବଳା
ଅଧମ ମୁଁ ହତଭାଗ୍ୟ
ପେଟ ଲାଗି ଯାଇ ଦୂର ପରବାସେ
ବିିକେ ଅର୍ଥ ପାଇଁ ମୁଣ୍ଡ ।
ଗଣ୍ଡିଏ ଫୁଟାଇ ନିଜର ହାତରେ
ଗାଁରେ ମୋ ମାଆ ବୁଢୀ
ବଡ ଆଶା ବାନ୍ଧି ଭାବୁଛି ମୋ ପୁଅ
ତୁରନ୍ତ ଆସିବ ଫେରି ।
ଚଳୁନାହିଁ ତାର ଏକପାର୍ଶ୍ବ ଅଙ୍ଗ
ଶ୍ବାସ ହେଉଅଛି କଷ୍ଟ
ଉପାସ ଭୋକରେ ରହିଛି ଶୋଇକି
କିଳିକି ତାଟି କବାଟ ।
କହନ୍ତି ନାଉରୀ ଶୁଣ ହେ ବାଟୋଇ
ଜନଶୂନ୍ଯ ଗିରିପଥ
ଘୋଟି ଆସୁଅଛି ଝଡି ଓ ବରଷା
ରଖ ମୋର କଥା ଛୋଟ ।
ଯାଅନାହିଁ ଜମା ଏକାକୀ ଏଠାବୁ
ଛୁଉଁଛି ମୋ ମନେ କାଳ
ଜୀବନର ପ୍ରତି ରହିଛି ବିପଦ
ଏଣୁ କରେ ଅନୁରୋଧ ।
ଆଖି ଛଳଛଳ କଣ୍ଠ ବାଷ୍ପରୁଦ୍ଧ
କୁହନ୍ତି କୁମର ମଣି
ଆସୁ ଝଡଝଞ୍ଜା ଯେତେ ପ୍ରତିବନ୍ଧ
କିଛି ବାଧା ମାନିବିନି ।
ଯିବି ମୁଁ ଘରକୁ କରିଛି ନିଶ୍ଚୟ
ନ କରି କାଳ ବିଳମ୍ବ
ଦେଖିବି ମୋହର ଜନମଦାତ୍ରୀଙ୍କୁ
ଛୁଇଁବି ଅଭୟ ପାଦ ।
