ଘର ଅଗଣା
ଘର ଅଗଣା
କାହିଁ ସେ ଘର କାହିଁ ଗଲା ଅଗଣା
ଘରପୁଅ ସହରରେ ହେଉଛି ବଣା।
କାହିଁ ଗଲା ସେ ସେନେହ,
ଶରଧା ମମତା ମୋହ
ଜଣା ମୁହଁ ଜାଣୁଜାଣୁ ହେଲେ ଅଜଣା।।
ଭାଇ ସାଜୁଛି ଭାଗାରୀ,
ତଣ୍ଟି କାଟେ ଅଣ୍ଟି ଛୁରୀ
ଭାଗବଣ୍ଟରାରେ କଟିଗଲା ଅଗଣା।।
ତୁଳସୀ ଚଉଁରା ଥିଲା
ସଞ୍ଜବତୀ ଜଳୁଥିଲା
ଆଜି ସେ ତୁଳସୀ ଖୋଜେ ନିଜ ଠିକଣା।।
ଗୋମୟରେ ଲିପାପୋତା
ମାଟି କାନ୍ଥ ଝୁଟିଚିତା
ଷଠିଘରର କଉଡ଼ି ଭୁଲି ହୁଏନା।।
ସାଙ୍ଗସାଥୀଙ୍କର ମେଳ,
ବୈଶାଖର ଖାରବେଳ
ଖାପରାକାତିର ଖେଳ ସପନ ସିନା।।
କୁଆଁର ପୁନେଇଁ ଜହ୍ନ,
କୁଆଁରୀ କାଉଁରୀ ମନ
ଫୁଲବଉଳ ବେଣୀର ତାନ ଶୁଭେନା।।
ସହରର ବସାଘର
ଲାଗେ ଅତି ଆପଣାର
ଗୁଣ୍ଠେ ଜମି ବିକି ଟିପେ ହେଉଛି କିଣା।।
ଆଜି ବି ଖୋଜୁଛି ମନ
ଅତୀତର ପଦଚିହ୍ନ
ଅଫେରା ପଥ ପଥିକ ଫେରିପାରେନା।।
ଫେରେଇଦିଅନା ମୋର
ସେ ଅଗଣା ସେହି ଘର
ଶେଷ ନିଦ ଖୋଜିଲାଣି ଶେଷ ବିଛଣା।।