ଛଳନା
ଛଳନା
ସମୟର ଏହି ଯାତ୍ରା ପଥରେ ଦେଖେ ଆଜି
ସ୍ଵାର୍ଥପରତାର କେତେ କେତେ ବଡ଼ କଠୋର ରୂପ
ବୁଝିବାକୁ ଯେବେ ଚେଷ୍ଟା କରୁଛି ପାଉଛି ଦୁଃଖ
ଦେଖୁଛି ଖାଲି ଛଳନା କରୁଛି କେତେ ବିଦ୍ରୁପ |
ଦେଖି ତାକୁ ଯେବେ ମନେ ଭାବଇ ଏକାନ୍ତେ
ଏତେ ସବୁ ଯାହା ଏହି କଥା ଭଲପାଇବାର
ଯାହାକୁ କହୁଥିଲେ ସବୁ ଅଟେ ପ୍ରେମ ବୋଲି
ତାହା ସବୁ ଖାଲି ମିଥ୍ୟା ନାଟକ ଛଳନାର |
କେମିତି କେଜାଣି ହୋଇଗଲା ସବୁ କିଛି ଖାଲି
ଯେବେ ଭାବ ବଢିଗଲା ସେହି ପ୍ରଥମ ଦେଖାରେ
କାହିଁକି ଏହି ଅମାନିଆ ମନ ଭାସିଗଲା ସେବେ
ସେହି ମିଠା ମିଠା କଥାର ଅଦେଖା ଛଳନାରେ ?
ଖାଲି ମିଠା କଥା ନୁହେଁ ଆଖିର ଚାହାଣି
କରିଥିଲା ତାର ମାଦକତାରେ ସତେ ପ୍ରେମ ପାଗଳ
ଅଜାଣତରେ ଲେଖି ଦେଲି ତାର ନାମ ହୃଦୟରେ
ବୁଝି ନପାରିଲି ତାର ସେହି ଛଳନାର ଖେଳ |
ମନେ ଅଛି ସବୁ ଭୁଲି ନାହିଁ କିଛି
ଯେତେ ସିଏ ଯାହା ମୋତେ ସବୁ କହିଥିଲା
ଦୁହେଁ ମିଶି କେତେ କେତେ ସପନ ଦେଖିଲୁ
କିନ୍ତୁ ଛଳନା କରି ସିଏ ସବୁ ଭାଙ୍ଗିଦେଲା |
ଭୁଲିବାକୁ ତାକୁ ଭାବି ଭୁଲି ତ ପାରିନି
ତଥାପି ଜୀବନ ଯାତ୍ରାରେ ବଢିବାକୁ ବାଧ୍ୟ ହେଲି
ବିବାହ ବନ୍ଧନେ ଅଜଣାକୁ ନିଜର କରି ବାନ୍ଧିଲି
ସବୁ ଛଳନାକୁ ଭୁଲି ନିଜ ସଂସାର ଗଢ଼ିଲି |
ସଂସାର ବଢ଼ିଲା ପୁତ୍ର କନ୍ୟା ପ୍ରାପ୍ତ ହେଲା
ପରିବାର ପାଇଁ ନିଜ କର୍ତ୍ତବ୍ୟ କରି ଚାଲିଲି
ସେଥିରେ ଥିଲା ମୋର ପ୍ରେମ ଆଉ ମମତା
ଛଳନାକୁ ପାଦେ ପାଦେ ଜଗି ମୁଁ ରହିଲି |
ବୁଝିବାରେ ମୋର ଭୁଲ ହୋଇଗଲା ସମୟ କହିଲା
କାହିଁକି କୁହୁଡିର ଭଲପାଇବାର ବସା ମୁଁ ବାନ୍ଧିଲି ?
ଅଜଣା ମଣିଷର ହାତ ଧରି ଆଶା ବାନ୍ଧିଥିଲି
ସ୍ୱାର୍ଥପର ସିଏ ଛଳନା କରିଲା ବୁଝି ନପାରିଲି |
ଯେଉଁ ସନ୍ତାନଙ୍କୁ ମୋର ମମତା ଡୋରରେ ବାନ୍ଧିଥିଲି
ତାଙ୍କ ପାଇଁ କେତେ ତ୍ୟାଗ କରି ଚାଲିଥିଲି
ବଡ଼ ହୋଉ ସବୁ ନିଜ ସ୍ୱାର୍ଥକୁ ଦେଖିଲେ
ତାଙ୍କ ଛଳନା ଭରା ମିଥ୍ୟା ଭଲପାଇବା ଦେଖିଲି |
ଏକା ଏକା ହୋଇ ଯେବେ ଅଣ୍ଡାଳି ଖୋଜିଲି
ପାଇଲି କିଛି ବନ୍ଧୁଙ୍କୁ ମୋର ବିଗତ ଦିନର
ଡରି ଡରି ଧରିଲି ତାଙ୍କ ବନ୍ଧୁତ୍ୱର ଡୋର
ଜାଣିଲି ସେମାନେ ବି ହୋଇଛନ୍ତି ଛଳନାର ଶିକାର |
ସେଥିପାଇଁ ଆଜି ବସି ବଡ଼ ଏକାନ୍ତରେ ଭାବୁଛି
ପ୍ରେମ ଆଉ ଭଲପାଇବା ମଧ୍ୟେ କି ଅନ୍ତର ?
ଈଶ୍ୱର ଅଟନ୍ତି ଏକମାତ୍ର ସତ୍ୟ ଏହି ଦୁନିଆରେ
ଛଳନା ସୃଷ୍ଟିର ଅଂଶ ତାଙ୍କ ମାୟାବୀ ଦୁନିଆର |
