STORYMIRROR

Kabiratna Nutan Kumar Behera

Classics Fantasy Inspirational

3  

Kabiratna Nutan Kumar Behera

Classics Fantasy Inspirational

ସାଥୀରେ କପେ ଚା' ପିଇବାର ତୃପ୍ତି

ସାଥୀରେ କପେ ଚା' ପିଇବାର ତୃପ୍ତି

1 min
140


ଦିନ ତମାମର ବୋଝ ବୋହି ଶ୍ରମ କ୍ଳାନ୍ତି

ଭୁଲି ପାରୁ ନଥିବା ମନର ଗ୍ଳାନିକୁ ଚାପି ରଖି 

କ୍ଷତାକ୍ତ ହୃଦୟର ଯନ୍ତ୍ରଣା ଯେତେକୁ 

ଉପସମ କରିବାର ବାହାନା ନେଇ

ଦେଖାହୁଏ ଯେବେ ତୁମ ସାଥୀରେ ଏମିତି

ଘୁଞ୍ଚାଇବାକୁ ସାମୟିକ ଦୁର୍ବଳ ମୁହୁର୍ତ୍ତଟିଏ

ଆମନ୍ତ୍ରଣ କର କପେ ଚା' ପିଇବାକୁ

ଯୁଗ ଯୁଗର ମଳି ଲଗା ବେଞ୍ଚରେ 

ଅବା ହାତଭଙ୍ଗା ପ୍ଲାଷ୍ଟିକ୍ ଚେୟାରରେ ବସୁ

ଫେରିବା ବେଳେ ସେ ଦୋକାନରେ 

ଦୁଃଖ ଫେଣ୍ଟା ଫେଣ୍ଟି କରୁ ତୁମର ମୋର

ଢୋକେ ଢୋକେ ଉଷୁମ ଚା' ପିଇ ପିଇ 

ବାଷ୍ପୀଭୂତ କରୁଥାଉଁ ଅଙ୍ଗେନିଭା ଦରଦକୁ

ଚା' ଯେତେ ଯେତେ ଶୀତଳ ହେଉଥାଏ

ମନର ଆବେଗ ସେତେ ଧିମେଇ ଯାଉଥାଏ

ନିଜ ନିଜର ମର୍ମଭେଦୀ ସଂଳାପ ହୁଏନି ଶେଷ

ତରତର ହେଉ ଘରକୁ ଫେରିବା ପାଇଁ

ଯେଉଁ ଘରେ ଜନମରୁ ଅଛୁ ପରିବାର ସହିତ

ହସ ଲୁହ ତ ଜୀବନର ଅନୁଚର

ପିଲାରୁ ବଢ଼ି ପୁଣି ପିଲାଙ୍କୁ ପାଳିବା ଯାଏଁ

ଅଗଣିତ ଦିନ ବିତିଛି ସବୁ ମନେ ପଡ଼େନି

କିନ୍ତୁ ଠିକ୍ ମନେ ପଡ଼େ ଫେରିବାର ସେ ବାଟ 

ସଂସାରିକ ମୋହରେ ଟାଣି ହେଉ ଆପେ ଆପେ

ଏ ଜୀବନର ସଂଘର୍ଷ ଭିତରେ ତୁମର ମୋର

ପ୍ରାୟତଃ ବରାବର ସେଇଠି ହୁଏ ଦେଖା

ଆମ ଭିତରେ ବନ୍ଧୁତାର ବୁଝାମଣା ହେବା ଦିନଠୁ

କେବେ କା'ର କିଛି ଅସୁବିଧା ହେଲେ

ଯଦି ଦେଖା ନହୁଏ ମନକୁ ଝଟକା ଲାଗେ

ସେ ଦିନର ବାମ୍ଫ ଉଠୁଥିବା ଚା' ଟା କେମିତି 

କମ୍ ମିଠା ପାଣିଚା ଲାଗେ ପାଟିକୁ 

ପିଇଲା ବେଳେ ତୁମ ବାଟ ଚାହିଁ ଚାହିଁ

ହୁଏତ ଆସୁଥିବ କାମରେ ଅଟକି ଯାଇଥିବ

ମନକୁ ଛୁଇଁ ଯାଉଥାଏ ଆଲତୁ ଫାଲତୁ

ଇୟାଡୁ ସିଆଡୁ ଗୁଡ଼ିଏ ନ ଭାବିବା କଥା

ପ୍ରତିଦିନ ସାଥୀରେ ଏକାଠି ବସି

ଚା' ପିଇବାର କି ନିଆରା ତୃପ୍ତି ଅନୁଭବ କରୁ 

ଏଇ ବୋଧହୁଏ ଜୀବନ ଆଉ ଦୋସ୍ତି...।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics