କ୍ରମ ମତିଭ୍ରମ
କ୍ରମ ମତିଭ୍ରମ
କବିତା - କ୍ରମ ମତିଭ୍ରମ
ରଚନା - ପଞ୍ଚାନନ ଜେନା
ତାରିଖ -୦୬-୦୬-୨୦୨୬
+++++++++++++++++
ଆଜି ସକାଳୁ ଉଠୁ ଉଠୁ
ଦେଖିଲି ବ୍ୟତିକ୍ରମ
ପୁରୁଣା ପାଠସବୁ ଅନୁଭବେ
କରିବେ କି ମତିଭ୍ରମ ?
ଯେମିତି
ଆଖି ଦୁଇଟି ମୋର
ଅଥଚ ଲୁହ ଲାବଣ୍ୟ ଭାଗ୍ୟର
ଯେମିତି
କାନ ଦୁଇଟି ମୋର
ଅଥଚ ଶ୍ରୁତି ଶ୍ରବଣ କର୍ମର
ଯେମିତି
ହୃଦୟ ସ୍ପନ୍ଦନଟା ମୋର
ଅଥଚ କଉମାଛ ପରି ଧଡ ଧଡ ଧାଁ ଧପଡ
କରୁଥାଏ ଉପସ୍ଥିତି ଅନ୍ୟ କାହାର
ଯେମିତି
ମନ ସାମ୍ରାଜ୍ୟ ମୋର
ଅଥଚ ଅଧିପତି ଦଳପତି କେହି ଜଣେ
ଅତି ନିଜର ଆପଣାର
ଯେମିତି
କାର୍ଯ୍ୟକଳାପ ମୋର
ଅଥଚ ଫଳାଫଳ ସବୁ ନିୟତି ହାତର
ଯେମିତି
କଥା ସ୍ଫୁରଇ ମୋର
ଅଥଚ ଚିତ୍ର ଚରିତ୍ରରେ କାହାଣୀ ଅନ୍ୟର
ଯେମିତି
ମର ଶରୀରଟା ମୋର
ଅଥଚ ବଂଚିବା ପାଇଁ ଧାଁ ଧଉଡ଼ ନିରନ୍ତର
ଯେମିତି
ଟିପା ଖାତାଟି ମୋର
ଅଥଚ ସାଇତା ହସ୍ତାକ୍ଷର
ଗୋଲ ଗୋଲ ଅକ୍ଷର
ଖତେଇ କହୁଛି
ମନେ ପଡୁଥିବ ଥରକୁ ଥର
ସେହି ସବୁ ଅତୀତ ପୃଷ୍ଠାସବୁ
ଖୋଲୁଥିଲା କ୍ରମେ କ୍ରମେ
ଭାବନା ସମୁଦ୍ର ମଧ୍ୟକୁ ଆପେ ଆପେ
ଠେଲି ପେଲି ଯାଏ ଭ୍ରମେ
