ସୁପ୍ତ ଭାବନା
ସୁପ୍ତ ଭାବନା
ସୁପ୍ତ ଏ ମନରେ ଭରିଦେଇଅଛ
ମଧୁର ସପନ ରାଜି,
ମଧୁର ମୂର୍ଚ୍ଚନା ତୋଳିଲ ଜୀବନେ
ଦେବଦୂତ ଟିଏ ସାଜି ।
କେମିତି ଆସିଲ ବିଧାତା ର ଖେଳ
ବିଶ୍ୱାସେ ଈଶ୍ୱର ଥାଏ,
ନିହାଣ ମୁନରେ ପଥର ବି ଦିନେ
ଦେବତା ର ରୂପ ପାଏ ।
ହୃଦୟ ମନ୍ଦିରେ ପବିତ୍ରତା ରଖି
ସମର୍ପିଛି ମନ ପ୍ରାଣ,
ନୀରବରେ ହେଉ କେହିବି ନ ଜାଣୁ
ରଖିବ ବନ୍ଧନ ମାନ ।
ଯୁଗ ଯୁଗାନ୍ତରେ ଏ ଧରା ପୃଷ୍ଠରେ
ଜନମିବି ତାର ପାଇଁ,
ପ୍ରୀତିଲଗ୍ନା ହୋଇ ମଧୁ ପରଶିବି
ପ୍ରଣୟିନୀ ଟିଏ ହୋଇ ।
ପ୍ରୀତିର ସ୍ବାକ୍ଷର ଜୀବନେ ଭାସ୍କର
ଅଜଣା ଏ ଆଲୋଡନ,
ତୁମେହିଁ ଈଶ୍ୱର ତୁମେହିଁ ନଶ୍ଵର
ଗୋପନେ ସାଇତା ଧନ ।
ନିଶ୍ବାସେ ବିଶ୍ବାସ ପ୍ରଶ୍ବାସେ ଭରସା
ନିଷ୍ଠା ରେ ଭରିଛି ପ୍ରେମ,
ଜୀବନ ଠୁ ବେଶି ଆପଣା ଭାଵିଛି
ଭଲପାଏ ଆତ୍ମା ସମ ।
ସ୍ୱୀକାର କରିଛି ସ୍ୱୀକୃତି ଦେଇଛି
କେବଳ ଜାଣିଛି ମନ,
ତୁଳନା କରିନି ଅଧିକ ଖୋଜିନି
ଯାହା ଈଶ୍ୱରଙ୍କ ଦାନ ।
ହୀରା ସମ ସିଏ ଝଟକୁଛି ପ୍ରାଣେ
ପ୍ରୀତିର ଗୀତିକା ଗାଇ,
ସାହାରା ମରୁରେ ଶୀତଳ ପ୍ରଲେପ
ସ୍ନେହର ପରଶ ଦେଇ ।

