ପ୍ରିୟା ମୋର
ପ୍ରିୟା ମୋର
ଭାବେ ତୁମ କଥା ନିତି ପ୍ରତି ଦିନ
ନାଚେ ତୁମ ରୂପ ଆଗେ
ତୁମ ନୃତ୍ୟ ଛନ୍ଦେ ହୁଏ ମୁଁ ବିଭୋର
ଗାଏ ରାଗ ଅନୁରାଗେ ।
ଆନମନା କରେ ତୁମରି ସୁଷମା
ରସ ଅମୃତ ସୁନ୍ଦର
ତୁମେ ଅନୁପମା ଜୀବନ ମୂର୍ଚ୍ଛନା
ସଙ୍ଗୀତ ସ୍ୱର ମଧୁର ।
ଭୁଲି ମୁଁ ପାରେନା ଆସ ବାରବାର
ଶୟନେ ଅବା ସ୍ୱପନେ
ଭରଇ ଉଲ୍ଲାସ ଆନନ୍ଦ ଅପାର
ତୁମ ସାହଚର୍ଯ୍ୟ ମନେ ।
ତୁମେ ମୋ ଜୀବନ ତୁମେ ମୋର ପ୍ରାଣ
ତୁମେ ମୋ ବିଶ୍ୱାସ ଆଶା
ଲାସ୍ୟହାସ୍ୟମୟୀ ଅନନ୍ୟା କବିତା
ତୁମେ ମୋ ହୃଦୟ ଭାଷା ।
ପ୍ରିୟା ତୁମ ମୁଖ ଶାନ୍ତି ଶତଦଳ
ବିକଶୁ ଉଜ୍ଜ୍ୱଳ ରଙ୍ଗ
ନିରେଖି ଜୀବନ ସଞ୍ଚରୁ ସୁବୋଧ
ଉକୁଟୁ ଭାବ ସୁଗନ୍ଧ ।
------

