ମଞ୍ଜୁଆତି
ମଞ୍ଜୁଆତି
ମଞ୍ଜୁଆତି ତାର ଗାଢ଼ ହୁଏ ଯେତେ
ଆକାଶ ନାରଙ୍ଗୀ ଦିଶେ
ଦିନ କହେ କେତେ ପ୍ରଣୟ କାହାଣୀ
ରାତି ନୂଆ ନୂଆ ବାସେ।
ସେ ମଞ୍ଜୁଆତିରେ ଲେଖା ହୁଏ କେତେ
ସପନର ସଜ ଗୀତ
ହସ୍ତରେଖା କହେ ଫୁଲର କାହାଣୀ
ପାଖେ ବସି ଶୁଣେ ମିତ।
ଗାଢତା ବଖାଣେ ତା ହୃଦ ରୋମାଞ୍ଚ
ଆଶାର ନବ ଅଧ୍ୟାୟ
ଜୀବନ ପାହାଚ ଟଳମଳ ହେଲେ
ହାତ ଦେଲେ ହୁଏ ଥୟ।
ସେଇ ରଙ୍ଗ ସାଜେ ଜୀବନ ବଗିଚା
ସୁବାସେ ଅଗଣା ଭରେ
ଗୁଞ୍ଜରିତ ହୁଏ ମଧୁମୟ ଗୀତି
ଘର ଆନନ୍ଦରେ ପୁରେ।
ପ୍ରିୟକୁ ଦିଏ ସେ ପ୍ରଣୟ ଇଙ୍ଗିତ
ସମ୍ମୋହନେ ଆଣେ ଟାଣି
କାନେ ବାଜିଯାଏ ପ୍ରେମର ଶାୟରୀ
ବେଳ ହୁଏ ନାହିଁ ଜାଣି।
ମଞ୍ଜୁଆତି ଦିନେ ଲିଭି ଯିବ କିନ୍ତୁ
ନ ଲିଭିବ ପ୍ରିତୀ ରଙ୍ଗ
ଆକାଶର ରଙ୍ଗ ଦୁଇ ଘଡ଼ି ପାଇଁ
ଚିର ଦିନ ପ୍ରିୟ ସଙ୍ଗ।