ଉକୁଟି ଭୃକୁଟି ଛୁଏଁ
ଉକୁଟି ଭୃକୁଟି ଛୁଏଁ
କବିତା - ଉକୁଟି ଭୃକୁଟି ଛୁଏଁ
ରଚନା - ପଞ୍ଚାନନ ଜେନା
ତାରିଖ -୦୭-୦୬-୨୦୨୬
+++++++++++++++++
ତୁମେ ଆଖପାଖରେ ଥିଲେ
ସମୟଟା ରହିଥାଏ
ଅଟକି ଯାଏ ଲଟକି ଯାଏ
ତୁମେ ଆଖି ଆଗରେ ଥିଲେ
ପ୍ରକୃତିଟା ହସୁଥାଏ
ଡ଼ାଳ ପତ୍ର ହଲେଇ ଗପୁଥାଏ
ତୁମେ ନିକଟରେ ଦର୍ଶନ ଦେଲେ
ମନ୍ଦ ସମୀରଣ ବହୁଥାଏ
ପୁଷୀ ମାଉସୀ ପରି
ଦେହରେ ଦେହ ବଜେଇ ଘଷିଦେଇ
କାନମୁଣ୍ଡା ଆଉଁସି ଦେଇ ଡେଇଁ ପଳାଏ
ମାତ୍ର ତୁମେ ଦୂରେଇ ଗଲେ ଘଣ୍ଟାଏ
ଯୁଗ ବିତିଗଲା ପରି ଲାଗେ
ବ୍ୟସ୍ତ ବିବ୍ରତ ବାଧୁଥାଏ
ବିରକ୍ତ ବିରହ କାଟୁଥାଏ
ଲୋଭନୀୟ ବସ୍ତୁଟେ ପାଖରେ ଥିଲା
ସଦା ସର୍ବଦା ଚବର ଚବର ପାଟି ଶୁଭୁଥିଲା
ବନ୍ଦ ହେବାର ନାମ ନେଉ ନ ଥିଲା
ହଠାତ୍ ପୂର୍ଣ୍ଣ ବିରାମ !
କେମିତି ଚଳିବ କହିଲେ ଦେଖି
ନ ଦେଖିଲେ ନିମିଷେ ଯେମିତି
ଅଣନିଃଶ୍ୱାସୀ ପରି ଦେହ ମନ ମାଖୁଥାଏ
ଆଖି ହଳକ କାରଣ ବାରଣ ଯାହା ଖୋଜି ବୁଲୁଥାଏ
ପ୍ରେମର ଅର୍ଥ ମୁଁ ଜାଣିନି
ଡଲ ପାଇବାର ସଂଜ୍ଞା ସର୍ବନାମ ମୁଁ ପଢ଼ିନି
ମନ ଦେବା ନେବାର ପ୍ରକୃତ ବ୍ୟୁପତ୍ତି ମୁଁ ଶିଖିନି
କିନ୍ତୁ ତୁମ ନାମ ଶ୍ରବଣ ମାତ୍ରକେ
ମୁରୁକି ହସଟା ଆପେ ଆପେ ଉକୁଟି ଭୃକୁଟି ଛୁଏଁ
କିନ୍ତୁ ତୁମର କୋମଳ କଣ୍ଠି ଶବ୍ଦ ଶୁଣିବା ମାତ୍ରକେ
ଅର୍ଦ୍ଧଚନ୍ଦ୍ରାକାର ଗ୍ରୀବାଟା ବୃତ୍ତ ପରିଧି ପରି ଘୁରି ଘୁରିକା ଧାଏଁ
ଯିଏ ଯାହା ପାରୁଛି ବୁଝୁ
ମୋର ନାହିଁ କିଛି ବି ପ୍ରତିବନ୍ଧକ
ଯିଏ ଯାହା ଭାବୁଛି ଭାବୁ
ନାହିଁ ଲେଶ ମାତ୍ର ବି ଝଟକ ମଟକ
ମନରେ ଯାହା ଅନୁଭବିଲି
ଖୋଲିଦେଲି କହିଦେଲି ଖୁଲମ୍ ଖୋଲା
ଦୋଷୀ ବୋଲି ଯଦି ଭାବୁଛ
ମାନିନେବି ଦଣ୍ଡ ମଆପାତି ମରଦପିଲା
