ଚାଚେରୀ ବେଶ (ରାଗ ଚୋଖି)
ଚାଚେରୀ ବେଶ (ରାଗ ଚୋଖି)
ରାଧାକୃଷ୍ଣ ରାସଲୀଳା ଈଶ୍ୱରୀୟ ପ୍ରେମ ଲୀଳା
ଶାଶ୍ୱତ ପ୍ରେମର ସତ୍ୟ ଚାଚେରୀ ଲୀଳା
ଗୋପାଙ୍ଗନା ସାଥେ ପ୍ରେମ ବୃନ୍ଦାବନେ କୃଷ୍ଣ ପ୍ରେମ
ଅଭୁଲା ସ୍ମାରକୀ ବେଶ ସେ କୃଷ୍ଣଲୀଳା
ଚାଚେରୀ ବେଶଯେ ହୋଇଣ
ଦର୍ଶନ ଦିଅନ୍ତି ପ୍ରଭୁ ଚକାନୟନ ll
ଶଙ୍କର ପାର୍ବତୀ ଦେବ ହର ହରି ଦେବ ଦେବ
ମନ୍ଦିର ଛାଡ଼ନ୍ତି ପ୍ରଭୁ ଭକ୍ତ ହୋଇଣ
ଦ୍ୱାରେ ଦ୍ୱାରେ ବସି ଦୋଳେ ଦେଖନ୍ତି ଭକ୍ତଙ୍କୁ ମେଳେ
ସୁଖ ଦୁଃଖ ସଦା ସାଥି ମଧୁସୂଦନ
ଦୋଳେ ଦେଖ ଦୋଳ ଗୋବିନ୍ଦ
ରାଧା ଦରଶନେ ପ୍ରୀତ ବାଳମୁକୁନ୍ଦ ll
ବସନ୍ତ ସମୟେ ଧରା ଆକର୍ଷକ ବସୁନ୍ଧରା
ରାଧା କୃଷ୍ଣ ପ୍ରେମେ ମଜେ ସେ ବୃନ୍ଦାବନ
ଫଗୁ ରଙ୍ଗେ ଗୋପବାସୀ ଆନନ୍ଦିତ ଦାସ ଦାସୀ
ପ୍ରକୃତି ପୁରୁଷ ଏକା ସେ ଜନାର୍ଦ୍ଦନ
ସର୍ବେ ଏକାକାର ହୋଇଣ
ଖେଳନ୍ତି ଚାଚେରୀ ବେଶେ ରାଧା ଶ୍ରୀକୃଷ୍ଣ ll
ଗୀତ ବାଦ୍ୟ ହସ ଖୁସି ଫଗୁ ଖେଳ ମନ ଖୁସି
ସରାଗ ଉତ୍ସବ ଦୋଳ ଚାଚେରୀ ବେଶ
ଫଗୁଣ ଶୁକ୍ଳ ଦଶମୀ ନାମ ତା ଫଗୁ ଦଶମୀ
ନାଲି ବସ୍ତ୍ର ପିନ୍ଧି ପ୍ରଭୁ ହୁଅନ୍ତି ବେଶ
ଅବିର ରଙ୍ଗକୁ ମାରିଣ
ପ୍ରଭୁଙ୍କ ସୁନ୍ଦର ବେଶ ସେ ପାଞ୍ଚଦିନ ll
ନୀଳଭୁଜ ଜଗନ୍ନାଥେ ଶଙ୍ଖ ଚକ୍ର ଧରି ହାତେ
ଦୋଳ ବେଦୀ ଯାନ୍ତି ପ୍ରଭୁ ରଙ୍ଗା ଅଧର
ବଳଭଦ୍ର ହଳପାଣି ଧରିକି ସଙ୍ଗେ ଭଉଣୀ
ଶ୍ରୀଦେବୀ ଭୂଦେବୀ ବେଶ ସୁଭଦ୍ରାଙ୍କର
ଖେଳିବା ପାଇଁକି ଚାଚେରୀ
ପଦାକୁ ଆସନ୍ତି ପ୍ରଭୁ ହରେ ମୁରାରୀ ll
କୁଣ୍ଡଳ ଧରି ପାର୍ଶ୍ୱରେ ଚନ୍ଦ୍ରିକାଯେ ମସ୍ତକରେ
ଅଣ୍ଟାପଟି ଅଣ୍ଟା ଦେଶେ ଓଡ଼ିଆଣୀର
ଗିନିମାଳ ପଦ୍ମମାଳି ଚାବୁକ ହରଡ଼ ମାଳି
ଗଳାଦେଶ ଶୋଭେ ତାଙ୍କ କି ମନୋହର
ଚନ୍ଦ୍ର ସୂର୍ଯ୍ୟ ଦେହେ ଧରିଣ
ସୁଭଦ୍ରା ବରଦା ଲଷ୍ମୀ କରୁ ଦର୍ଶନ ll
